ଆଜି ପୁଣି କାଳବୈଶାଖୀ : ଉତ୍ତର ଓ ଦକ୍ଷିଣ-ଉପକୂଳ ଓଡ଼ିଶାର ପ୍ରଭାବ ଅଧିକ

Published By : Prameya-News7 Bureau | May 31, 2020 IST

ଭୁବନେଶ୍ୱର ୩୧।୦୫: ରବିବାର ପୁଣି ଗର୍ଜିବ କାଳବୈଶାଖୀ । ତାର ବିକଟାଳ ରୂପ ଦେଖାଇବ । ବିଜୁଳି ଓ ଘଡ଼ଘଡ଼ି ସହ ଜୋର୍‌ ପବନ ବି ବହିବ । ଉତ୍ତର ଓଡ଼ିଶା ସହ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜୋର୍‌ ପ୍ରଭାବ ରହିବ । କିଛି ସ୍ଥାନରେ ପ୍ରବଳ ବର୍ଷିବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ ସତର୍କ କରି କହିଛି, ରବିବାର ସକାଳ ୮ଟାରୁ ସୋମବାର ସକାଳ ୮ଟା ଯାଏ କାଳବୈଶାଖୀର ପ୍ରଭାବ ଅଧିକ ରହିବ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ଦେଓଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହେବ । କନ୍ଧମାଳ, ଦେଓଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ଏଚ୍‌ଆର୍‌ ବିଶ୍ୱାସ କହିଛନ୍ତି । ୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିବ ବୋଲି ସେ କହିଛନ୍ତି । ତେବେ ସୋମବାର, ମଙ୍ଗଳବାର ଓ ବୁଧବାର କାଳବୈଶାଖୀର ପ୍ରଭାବ ଅପେକ୍ଷାକୃତ କମ୍‌ ରହିବ ବୋଲି ଡ.ବିଶ୍ୱାସ କହିଛନ୍ତି । ବୌଦ୍ଧରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତାଳଚେରରେ ୪୦.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟ ଅଞ୍ଚଳରେ ତାପମାତ୍ରା କମ୍‌ ରହିଛି ।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁନ୍‌ ୬ ତାରିଖରେ ମିଆଁମାର ସଂଲଗ୍ନ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗ ଆଡ଼େ ଗତି କରିବ । ଏହାଦ୍ୱାରା ୧୦ ତାରିଖରେ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ହେବ । ୧୧ ତାରିଖରେ ସମଗ୍ର ରାଜ୍ୟରେ ବର୍ଷା ହେବ । ଜଗତସିଂହପୁର, ବାଲେଶ୍ୱର ଯାଏ ଅଧିକ ବର୍ଷା ହେବ । ତେବେ ଏହା ଆରବସାଗର ଲଘୁଚାପ ଭଳି ଘନୀଭୂତ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।

ତେବେ ଭୁବନେଶ୍ୱରରେ ଆସନ୍ତା ୩ରୁ ୮ ତାରିଖ ଯାଏ ସର୍ବାଧିକ ତାପମାତ୍ରା ବଢି ୩୯ରୁ ୪୦ଡିଗ୍ରୀ ଉପରେ ରହିବ । ଆଭ୍ୟନ୍ତରୀଣ ଓଡିଶାରେ ୧ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ୪୦ଡିଗ୍ରୀରୁ ଅଧିକ ରହିବ । ତା ପରେ କମି ୮ ତାରିଖ ଯାଏ ୩୮ରୁ ୪୦ଡିଗ୍ରୀ ରହିବ । କେରଳରେ ମୌସୁମୀ ପହଞ୍ଚି ସାରିଛି ବୋଲି ସ୍କାଏମେଟ୍‌ର ଘୋଷଣା କରିଛି । କିନ୍ତୁ ଭାରତୀୟ ପାଣିପାଗ ଏ ଯାଏ ଘୋଷଣା କରିନି । ଡ.ପଶୁପାଳକଙ୍କ କହିବା ଅନୁସାରେ, କେରଳରେ ଆଜି ବର୍ଷା ନାହିଁ । ଆସନ୍ତାକାଲି ୧୦ରୁ ୧୫ ମିଲିମିଟର ବର୍ଷା ହୋଇଛି । ମୌସୁମୀ ପାଇଁ ସର୍ବନିମ୍ନ ବର୍ଷା ଆବଶ୍ୟକତାଠାରୁ ଏହା ଅଧିକ । କେରଳରେ ଦୁଇ ଦିନ ଭିତରେ ମୌସୁମୀ ପହଞ୍ଚିବ ।

ମୁମ୍ବାଇରେ ମୌସୁମୀର ସ୍ୱାଭାବିକ ପ୍ରବେଶ ୧୦ ଜୁନ୍‌ ଥିବାବେଳେ ଜୁନ୍‌ ୩ରେ ଭାରି ବର୍ଷା ହେବ । ଗୁଜୁରାଟରେ ମୌସୁମୀର ସ୍ୱାଭାବିକ ପ୍ରବେଶ ୨୦ଜୁନ୍‌ । ଚଳିତବର୍ଷ ୫ ତାରିଖରେ ଲଘୁଚାପଜନିତ ଭାରି ବର୍ଷା ହେବାକୁ ଯାଉଛି । ଲଘୁଚାପ ବର୍ଷା ପରେ ପ୍ରାୟ ଏକ ସପ୍ତାହ ବର୍ଷା ହେବନି । କେରଳରୁ ଗୁଜୁରାଟ ବର୍ଷା ଛାଡ଼ିଯିବ । ଓଡ଼ିଶାରେ ଜୁନ ୧୦ରୁ ୧୧ ତାରିଖ ସମ୍ଭାବ୍ୟ ବର୍ଷାକୁ ମୌସୁମୀ କୁହାଯିବ କି ନା, ଏହା ଓଡ଼ିଶାର ଦକ୍ଷିଣରେ ଥିବା ରାଜ୍ୟ ଉପରେ ନିର୍ଭର କରୁଛି । ଓଡ଼ିଶାକୁ ମୌସୁମୀ ଆଗମନ ବିଳମ୍ବିତ ହୋଇପାରେ । ତେବେ ବର୍ଷାର ପରିମାଣ ଖରିଫ ଫସଲ ପାଇଁ ଯଥେଷ୍ଟ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.