ଭୁବନେଶ୍ୱର ୧୭।୦୯: ଆଜି ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ମାତ୍ର ଆସନ୍ତା ୧୮ ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ବଢ଼ିବ । ୨୦ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ୨୦ ତାରିଖରେ ଧୀବରମାନଙ୍କ ପାଇଁ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗଭୀର ସମୁଦ୍ରରୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।
ଆଜି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୮ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ୨୦ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ବଢ଼ିବ । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆଜି ରାଜ୍ୟରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ୨୦ରୁ ୨୪ ମଧ୍ୟରେ ବର୍ଷା ବଢ଼ିବ ବୋଲି ଡ. ସାହୁ ଆକଳନ କରିଛନ୍ତି।