ଆଜି ଲଘୁଚାପର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ, ଆସନ୍ତା ୩ ଦିନ ବର୍ଷା ସମ୍ଭାବନା

Published By : Prameya-News7 Bureau | September 13, 2020 IST

ଭୁବନେଶ୍ୱର ୧୩।୦୯: ଆଜି ଲଘୁଚାପର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ବର୍ଷା ହେବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆନ୍ଧ୍ରରେ ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବିଶେଷ ବର୍ଷା ହେବନି । ଯାହା କେବଳ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବ । ତେବେ ଲଗାଣ ବର୍ଷା ସମ୍ଭାବନା ବି ନାହିଁ । ରାଜ୍ୟର ବାକି ଅଞ୍ଚଳ ପ୍ରାୟତଃ ଶୁଖିଲା ରହିବ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଅନେକ ଜାଗାରେ ପାଗ ଖରାଟିଆ ରହିବ। ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଗୁଳୁଗୁଳି ଯୋଗୁ କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହା ସତ୍ତ୍ୱେ ଚଳିତ ସପ୍ତାହରେ ସ୍ୱାଭାବିକଠାରୁ ୪୦-୫୦% କମ୍‌ ବର୍ଷା ରହିବ ।

ପାଣିପାଗ ବିଭାଗ କହିଛି, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇଦିନ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ରବିବାର ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁରର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ରାୟଗଡ଼ା, କଳାହାଣ୍ଡି, ଗଜପତି, ନୂଆପଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବି ହୋଇପାରେ ।

ସୋମବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ଜାଗାରେ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର (୧୫ ତାରିଖ) ବର୍ଷା ପରିମାଣ କମିବ । କାଁ ଭାଁ ବର୍ଷା ହେବ ।

ରାଜ୍ୟରେ ସେପ୍ଟେମ୍ବର ମାସରେ ୧୨ ତାରିଖ ସୁଦ୍ଧା ହାରାହାରି ୫୩ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ୱାଭାବିକଠାରୁ ୪୫% କମ୍‌। ଝାରସୁଗୁଡ଼ାରେ ଅଧିକ ବର୍ଷା ହୋଇଥିବାବେଳେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଦେବଗଡ଼, ସୁନ୍ଦରଗଡ଼ରେ ସ୍ୱାଭାବିକ ବର୍ଷା ହୋଇଛି। ବାକି ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଗାଏବ ହୋଇଯାଇଛି। ଉପକୂଳ ଅଞ୍ଚଳରେ ପ୍ରାୟ ୮୦% ବର୍ଷା କମିଯାଇଛି ସେପ୍ଟେମ୍ବରରେ। ଗଞ୍ଜାମ, ଗଜପତି, ରାୟଗଡ଼ାର କେତେକ ଅଞ୍ଚଳରେ ବର୍ଷା ଅଭାବରୁ ଧାନ ଫସଲ ଅବସ୍ଥା ସଙ୍ଗୀନ ହେଲାଣି ।

ଅଗଷ୍ଟ ମାସରେ ଏହି ୩ ଜିଲ୍ଲାରେ ସବୁଠୁ କମ୍‌ ବର୍ଷା ହୋଇଥିଲା । ଅଧିକାଂଶ ସ୍ଥାନରେ ରୁଆ ହୋଇଥିଲେ ମଧ୍ୟ ମାଟି ଶୁଖିଯାଇଥିବାରୁ ଫସଲରେ ସମସ୍ୟା ଉପୁଜିଛି । ସଅଳ ରୁଆ ଓ ବୁଣା ୧୩୦ରୁ ୧୪୦ ଦିନିଆ ଧାନ କିସମ ପ୍ରଭାବିତ ହେବାକୁ ଯାଉଛି ବର୍ଷା ଅଭାବରୁ । ଯେଉଁ କେତେକ ଅଞ୍ଚଳରେ ରୁଆ ହୋଇନି, ସେଠାରେ ଜମି ପଡ଼ିଆ ପଡ଼ିଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବିଶେଷ ବର୍ଷା ସମ୍ଭାବନା ନାହିଁ । ତେଣୁ କେନାଲ ଓ ଉଠାଜଳସେଚନର ଆବଶ୍ୟକତା ବଢ଼ିଯାଇଛି । ମୌସୁମୀ ଉଭାନ ହୋଇଥିବାରୁ କେତେକ ଅଞ୍ଚଳରେ ମରୁଡ଼ିର ପଦଧ୍ୱନି ଦେଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.