ଆସୁଛି ଆଉ ଏକ ଲଘୁଚାପ, ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା !

Published By : Prameya-News7 Bureau | September 12, 2020 IST

ଭୁବନେଶ୍ୱର ୧୨।୦୯: ପଶ୍ଚିମ ବଙ୍ଗୋପସାଗରରେ ୧୩ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପ୍ରାୟତଃ ଦକ୍ଷିଣ ଓଡ଼ିଶାରେ ହିଁ ବର୍ଷା ହେବାର ସମ୍ଭାବନା ରହିବ । ବାକି ଅଞ୍ଚଳରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୧୩ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ବାକି ଅଞ୍ଚଳରେ ଠାଏ ଠାଏ ହାଲୁକାରୁ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି ।

ସେହିପରି ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ ଓ ଗଜପତିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏହାବାଦ୍‌ ରାଜ୍ୟର ଆଉ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

୧୩ ତାରିଖ ବର୍ଷା ପରିମାଣ ବଢ଼ିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତିର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ମାଲକାନଗିରି ଓ କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ନବରଙ୍ଗପୁର, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୪ ତାରିଖରେ ବି ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୧୫ରୁ ବର୍ଷା ପରିମାଣ କମିବ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ । ପ୍ରବଳ ବର୍ଷା ସମ୍ଭାବନା ଅତି କମ୍‌ ରହିଛି । ୧୨ରୁ ୧୪ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୫ରୁ ୧୭ ତାରିଖ ଯାଏଁ ଉପକୂଳ, ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ ଅବିଭକ୍ତ କୋରାପୁଟରେ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ଜାଗାରେ ଭାରି ବର୍ଷା ହୋଇପାରେ। ପଶ୍ଚିମ ସୀମାନ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.