ଆସନ୍ତା୧୩ରେ ସୃଷ୍ଟି ହୋଇପାରେ ଲଘୁଚାପ : ଆଜିଠୁ ବର୍ଷାରେ ଭିଜିବ ରାଜ୍ୟର ବିଭିନ୍ନ ଅଞ୍ଚଳ , ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ

Published By : Prameya-News7 Bureau | September 11, 2020 IST

ଭୁବନେଶ୍ୱର ୧୧।୦୯: ପଶ୍ଚିମ ବଙ୍ଗୋପସାଗରରେ ୧୩ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୧୩ ତାରିଖରେ ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ରପ୍ରଦେଶ ଉପକୂଳ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ଶୁକ୍ରବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏନେଇ ୨୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଦେବଗଡ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି କୁହାଯାଇଛି ।

ଅନ୍ୟପଟେ ବିଶେଷକରି ୫ଟି ଜିଲ୍ଲା କଳାହାଣ୍ଡି, ବଲାଙ୍ଗୀର, ସୋନପୁର, କନ୍ଧମାଳ ଓ ସମ୍ବଲପୁରରେ ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।ଲଘୁଚାପର ପ୍ରଭାବରେ ସେପ୍ଟେମ୍ବର ୧୨ତାରିଖରେ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଆଦି ୧୨ଟି ଜିଲ୍ଲାରେ ଭୀଷଣ ବର୍ଷାର ସମ୍ଭାବନା ରହିଛି । ସେହିପରି ସେପ୍ଟେମ୍ବର ୧୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ଭୀଷଣ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.