ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୧୩ ସୁଦ୍ଧା ଘନୀଭୂତ ହେବା ନେଇ ପୂର୍ବାନୁମାନ, ଆଜିଠୁ ରାଜ୍ୟରେ ବର୍ଷା

Published By : Prameya-News7 Bureau | September 10, 2020 IST

ଭୁବନେଶ୍ୱର ୧୦।୦୯: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆନ୍ଧ୍ର ଉପକୂଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୩ ତାରିଖ ସୁଦ୍ଧା ସେହି ଅଞ୍ଚଳରେ ଲଘୁଚାପ ଘନୀଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେପଟେ ଏବେ ମୌସୁମୀ ଟ୍ରଫ ଲାଇନ ସମେତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି କଟକ, ଜଗତସିଂହପୁର, ଯାଯପୁର, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ସମ୍ବଲପୁର, ସୋନପୁର, ବରଗଡ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ ।  ୧୨ ତାରିଖରୁ ବର୍ଷାର ପରିମାଣ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଥିବା ଜିଲ୍ଲା ଗୁଡିକରେ ଚାଷୀ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଓଡ଼ିଶାର ଦକ୍ଷିଣରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ୧୩ ତାରିଖରେ ଲଘୁଚାପ ରୂପ ନେବ। ଏହା ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବ । ୧୪ ତାରିଖରେ ଏହା ମୁଖ୍ୟତଃ ପୂର୍ବ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଉପରେ ରହିବ। ତେବେ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ୧୩ ତାରିଖରେ ଗୋପାଳପୁରରୁ ବଲାଙ୍ଗୀର ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୪ ତାରିଖରେ ବର୍ଷା କମିଯିବ । ଅବିଭକ୍ତ କୋରାପୁଟ, ବିଶେଷ କରି ମାଲକାନଗିରିର କେତେକ ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଅନୁରୁପ ଭାବେ ସୋଆ ଜଳବାୟୁ ଓ ପାଣିପାଗ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ୧୨ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି । ତେବେ ଏହାର ପ୍ରଭାବ ୧୫ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ସେ ଆକଳନ କରିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ । ମୌସୁମୀ ଦୁର୍ବଳ ଥିବାରୁ ଏବେ ସ୍ୱାଭାବିକଠୁ କମ୍‌ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.