ସାରା ରାଜ୍ୟରେ ୩ଦିନ ଯାଏଁ ଛେଚିବ ବର୍ଷା, ବନ୍ୟା ପ୍ରଭାବିତ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ

Published By : Prameya-News7 Bureau | August 24, 2020 IST

ଭୁବନେଶ୍ୱର ୨୪।୦୮: ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ଠାରୁ ବର୍ଷା ପ୍ରକୋପ ଆହୁରି ବଢ଼ିବ। ୩ ଦିନ ଧରି ନିର୍ଘାତ୍‌ ବର୍ଷା ଛେଚିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ ।

ସମ୍ଭାବ୍ୟ ବର୍ଷାକୁ ନେଇ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ରହିଛି। ବିଶେଷ କରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଫୁଲିପାରେ। ଲଗାଣ ବର୍ଷାରେ ତଳି ଅଞ୍ଚଳ ଜଳମଗ୍ନ ହୋଇପାରେ। ଏହାକୁ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କୁ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା।

ପାଣିପାଗ ବିଭାଗ କହିଛି, ବାଂଲାଦେଶ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ଆଜି ଉତ୍ତର ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ତା’ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିବ ।

ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଏହି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ପୁରୀ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ପୁରୀ, ସୁନ୍ଦରଗଡ଼, ଖୋର୍ଦ୍ଧା, ବୌଦ୍ଧ, କଳାହାଣ୍ଡି, କନ୍ଧାମଳ, ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇପାରେ ।

ବୁଧବାର ଉପକୂଳ ଓଡ଼ିଶାରେ ବର୍ଷା କମିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଅଧିକ ହେବ । ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିରରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଯାଜପୁର, ଭଦ୍ରକ, ଢେଙ୍କାନାଳ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ ।

କୃଷି ପାଣିପାଗବିତ ଡକ୍ଟର ସୁରେନ୍ଦ୍ରନା ପଶୁପାଳକଙ୍କ କହିବାନୁଯାୟୀ ୨୪ ତାରିଖରେ ସମସ୍ତ ଉପକୂଳ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲା ଏବଂ ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷା(୨୫ମିଲିମିଟର) ହେବ । ସ୍ଥାନେ ସ୍ଥାନେ ଭାରି ବର୍ଷା ହେବ । ତେବେ ସମୂଦ୍ର ତଟବର୍ତ୍ତୀ ଅଞ୍ଚଳରେ ଭାରି ବର୍ଷା ସମ୍ଭାବନା ଅଛି । ୨୫ ତାରିଖରେ ବର୍ଷା ଆହୁରି ବଢ଼ିବ । ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ କେତେକ ସ୍ଥାନରେ ଭାରି ବର୍ଷା ହୋଇପାରେ । ଢେଙ୍କାନାଳ, ଅନୁଗୁଳ, ପଶ୍ଚିମ କଟକ, କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଦେବଗଡ଼ରେ ଭାରି ବର୍ଷା (୩୫ରୁ ୬୫ ମିଲିମିଟର)ହୋଇପାରେ । ବାକି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । ୨୬ରେ ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଓ ପୁରୀରେ ଭାରି ବର୍ଷା ସମ୍ଭାବନା ରହିଛି। ରାଜ୍ୟର ବାକି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । ୨୭ରେ ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟମରୁ ଭାରି ବର୍ଷା ହେବାବେଳେ ଦକ୍ଷିଣ ଓଡ଼ିଶାରେ ବର୍ଷା କମିଯାଇଥିବ । ୨୮ରୁ ସାରା ରାଜ୍ୟରେ ବର୍ଷା କମିବ । ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ନଦୀଗୁଡ଼ିକ ଫୁଲିବ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ସମେତ ସମସ୍ତ ନଦୀର ଉପର ଓ ତଳମୁଣ୍ଡାରେ ଅଧିକ ବର୍ଷା ସମ୍ଭାବନା ଥିବାରୁ ନଦୀ ଜଳସ୍ତର ବଢ଼ିବ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨୮ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ରହିବ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଜିଲ୍ଲାରେ ୨୯ ପର୍ଯ୍ୟନ୍ତ ବର୍ଷା ରହିବ।

ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୪୩ ମିଲିମିଟର, ଝାରସୁଗୁଡ଼ାରେ ୩୪ ମିଲିମିଟର, ଦେଓଗାଁ ଓ ପାନପୋଷରେ ୩୬ ମିଲିମିଟର, ଆଠଗଡ଼ରେ ୩୧ ମିଲିମିଟର ବର୍ଷା ହୋଇଛି । ଲଗାଣ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତହସିଲଦାର, ବିଡିଓଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ କୁହାଯାଇଛି । ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହିତ ଗମନାଗମନ ବିଚ୍ଛିନ୍ନ ରହିବାର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଓଡ଼୍ରାଫ୍‌ ଓ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଲଘୁଚାପ ଯୋଗୁ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.