Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୨୪ରୁ ପ୍ରବଳ ବର୍ଷା

23/08/2020 at 7:30 AM

ଭୁବନେଶ୍ୱର ୨୩।୦୮: ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୨୪ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ଆଜି ଠାରୁ ବର୍ଷା ସାମାନ୍ୟ ବଢ଼ିବ । ତେବେ ସୋମବାରଠାରୁ ପ୍ରବଳ ବର୍ଷା ହେବ । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ । ବୁଧବାର ଯାଏଁ ବର୍ଷା ପ୍ରକୋପ ଅଧିକ ରହିବ ।

ଲଗାଣ ବର୍ଷା ପ୍ରଭାବରୁ ଗତ କିଛି ଦିନ ଧରି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାର ତଳି ଅଞ୍ଚଳରେ ପାଣି ପଶିବା ସହ ଶହଶହ ହେକ୍ଟର ଚାଷ ଜମି ପାଣିରେ ବୁଡ଼ିଛି । ଗତକାଲିଠାରୁ ବର୍ଷା କମିବା ପରେ ସ୍ଥିତି ସୁଧୁରୁଛି । ୭ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ଗତ ଶୁକ୍ରବାର ନିର୍ଦ୍ଦେଶ ଦିଆଯାଇଛି ।

ଆଗାମୀ ଲଘୁଚାପ ଓଡ଼ିଶାରୁ ଦୂରେଇବା ପରେ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ବର୍ଷା ବଢ଼ିବା ସମ୍ଭାବନା ଅଛି। ଏଥିଯୋଗୁ ଉତ୍ତର ଓଡ଼ିଶା ଦେଇ ପ୍ରବାହିତ ପ୍ରାୟ ସମସ୍ତ ନଦୀର ଜଳସ୍ତର ବଢ଼ିବା ସହ ବନ୍ୟା ଆଶଙ୍କା ରହିଛି । ଉଭୟ ତଳ ମୁଣ୍ଡ ଓ ଉପର ମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ ମହାନଦୀ ବି ଫୁଲିପାରେ।

ଏପଟେ ପାଣିପାଗ ବିଭାଗ କହିଛି, ରବିବାର ଠାରୁ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ ।

ସୋମବାର ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବି ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦେବଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ଆଶଙ୍କା ଅଛି । ମଙ୍ଗଳବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇପାରେ । କେତେକ ଜିଲ୍ଲାରେ ବର୍ଷା ପ୍ରକୋପ ଆହୁରି ବଢ଼ିବ ।

ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ଅନୁଗୁଳ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାବାଦ୍‌ ପୁରୀ, ଖୋର୍ଦ୍ଧା, ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଝାରସୁଗୁଡ଼ା, ବରଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ।

ବୁଧବାର ରାଜ୍ୟର ଅଧିକାଂଶ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ପ୍ରକୋପ କମିଯିବ । ହେଲେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ନୂଆପଡ଼ା, ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ମାଲକାନଗିରି, କୋରାପୁଟ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ସମ୍ଭାବ୍ୟ ଲଘୁଚାପ ଯୋଗୁ ୨୫ରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

   Related Posts