ଆସୁଛି ଆଉ ଏକ ଲଘୁଚାପ : ୨୪ରୁ ୨୬ ଯାଏଁ ଲଗାଣ ବର୍ଷା, ସତର୍କ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 22, 2020 IST

ଭୁବନେଶ୍ୱର ୨୨।୦୮: ଆସୁଛି ବଡ଼ ବର୍ଷା । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ରୁ ୨୬ ତାରିଖ ଯାଏଁ ଲଗାଣ ବର୍ଷା ହେବ ଓଡ଼ିଶାରେ । ଏ ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୩ ତାରିଖବେଳକୁ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୨ରୁ କ୍ରମଶଃ ବର୍ଷା ବଢ଼ିବ । ବେଶି ବର୍ଷାହେବ ୨୪ରୁ ୨୬ ତାରିଖ ମଧ୍ୟରେ । ସମଗ୍ର ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି ।

ଆଜି ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ନାହିଁ । ତଥାପି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ଦେବଗଡ଼, ଯାଜପୁରର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୨୩ ତାରିଖରେ ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ମାଲକାନଗିରିରେ ବି ପ୍ରବଳ ବର୍ଷା ଆଶଙ୍କା ଅଛି ।

୨୪ରୁ ବର୍ଷା ପରିମାଣ ଆହୁରି ବଢ଼ିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଅନୁଗୁଳ, ସମ୍ବଲପୁର, ମାଲକାନଗିରି , କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଦେବଗଡ଼, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୫ ଓ ୨୬ରେ ବର୍ଷା ଲାଗି ରହିବ । ୨୪ରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ସମ୍ଭାବ୍ୟ ବର୍ଷା ନେଇ ସତର୍କ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ।

ଅନ୍ୟପକ୍ଷେ ଅଗଷ୍ଟରେ ଲଗାଣ ବର୍ଷା ଯୋଗୁ ଅନେକ ଜାଗାରେ କ୍ଷୟକ୍ଷତି ହୋଇଛି । ଏହି କ୍ଷୟକ୍ଷତି ଆକଳନ କରି ୭ ଦିନ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ ସହାୟତା ଦିଆଯିବ ।

ଲଘୁଚାପଜନିତ ବର୍ଷାରେ ବୈତରଣୀ ନଦୀ ବିପଦ ସଙ୍କେତ ଡେଇଁଛି । ଶୁକ୍ରବାର ମଧ୍ୟାହ୍ନରେ ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ (୧୭.୮୩ ମିଟର) ଅତିକ୍ରମ କରି ୧୭.୯୪ ମିଟରରେ ପ୍ରବାହିତ ହେଉଥିଲା। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ କୁହାଯାଇଛି, ଏଥିରେ ବନ୍ୟା ସ୍ଥିତି ସୃଷ୍ଟି ହୋଇନାହିଁଁ । ଉପରମୁଣ୍ଡରେ ଅଧିକ ବର୍ଷା ହୋଇନଥିବାରୁ ଖୁବଶୀଘ୍ର ଜଳସ୍ତର କମିବା ଆଶା କରାଯାଉଛି ।ବାଲେଶ୍ୱର ବସ୍ତା ବ୍ଲକର ମଥାନିରେ ଜଳକା ବିପଦ ସଙ୍କେତ ଡେଇଁଛି । ମାତ୍ର ସେଠାରେ ମଧ୍ୟ ବନ୍ୟା ଆଶଙ୍କା ନାହିଁ। ନବରଙ୍ଗପୁରରେ ପ୍ରବଳ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାର ସୁରଲିରେ ଏନ୍‌ଏଚ୍‌ ୨୬ର ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ଏଥିଯୋଗୁ ବୋରିଗୁମାଠାରୁ ଜଗଦଲପୁର ରାସ୍ତା ବିଚ୍ଛିନ୍ନ ହୋଇଛି। ବର୍ଷା ଯୋଗୁ ଏହି ଜିଲ୍ଲାରେ ୧୨୦ଟି ଘର ଓ ଗୋଟିଏ ଗୁହାଳ କ୍ଷତିଗ୍ରସ୍ତ ହୋଇଛି।

ମାଲାକାନଗିରିର କଙ୍ଗାରୁକୋଣ୍ଡା, କନ୍ୟାଶ୍ରମ, କୋରକୁଣ୍ଡା ପୋଲ ଉପରେ ବର୍ଷା ପାଣି ଚାଲିଛି । ଗତକାଲି ରାତିରେ ମାଥିଲି ବ୍ଲକର ୧୬୯ଜଣଙ୍କୁ ଓ କାଲିମେଳାର ୮୧ଜଣଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଝାରସୁଗୁଡ଼ାର ଲଖନପୁର ତହସିଲର ୪ ପରିବାରର କଚ୍ଚା ଘର ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଜଟଣୀ ବ୍ଲକର ବେଣାପଞ୍ଜୁରୀ ପଞ୍ଚାୟତରେ କେତେକ ଚାଷ ଜମି ବର୍ଷା ପାଣିରେ ବୁଡ଼ି ରହିଛି । ମଲାଗୁଣି ନଦୀରେ ପାଣି ବଢ଼ିବାରୁ ଖୋର୍ଦ୍ଧା ବ୍ଲକର ଓବରସିଂ ପଞ୍ଚାୟତର ହିରମଲ ଗାଁର କେତେକ ଚାଷ ଜମି ପାଣିରେ ବୁଡ଼ି ରହିଛି । ମୟୂରଭଞ୍ଜ ବଡ଼ସାହି ବ୍ଲକ ଅନ୍ତର୍ଗତ ଗଙ୍ଗାହାର ନଦୀର ଜଳସ୍ତର କମିଛି । ଚଳିତ ମୌସୁମୀ ବର୍ଷାରେ ଗତ ୧୬ ତାରିଖରୁ ଆଜି ସୁଦ୍ଧା ମୋଟ ୫ଜଣଙ୍କ ମୃତ୍ୟୁ ହୋଇଛି । କାନ୍ଥ ପଡ଼ି ବଲାଙ୍ଗିର, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ମୟୂରଭଞ୍ଜରେ ପାଣିରେ ଭାସି ୨ଜଣଙ୍କ ମୃତ୍ୟୁ ହୋଇଛି ।

ଗଜ ଜୁନ୍‌ ମାସରୁ ଆଜି ଯାଏଁ ରାଜ୍ୟରେ ୧.୩% ଅଧିକ ବର୍ଷା ହୋଇଛି । ଜୁଲାଇରେ ୩୪.୯% କମ୍‌ ବର୍ଷା ହୋଇଥିବାବେଳେ ଅଗଷ୍ଟରେ ଏଯାବତ୍‌ ୪୫.୨% ଅଧିକ ବର୍ଷା ହେଲାଣି । ଅଗଷ୍ଟ ମାସରେ ୧୭ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଓ ୧୨ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ୬ଟି ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ୧୦୫%ରୁ ୧୭୬% ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇଛି । କେବଳ ନୂଆପଡ଼ାରେ ୩୧.୯% ନିଅଣ୍ଟିଆ ରହିଛି ବର୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.