ଆଜିଠୁ ଆଉ ଏକ ଲଘୁଚାପ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | August 19, 2020 IST

ଭୁବନେଶ୍ୱର ୧୯।୦୮ : ଦାନା ବାନ୍ଧିଲାଣି ଆଉ ଗୋଟିଏ ଲଘୁଚାପ । ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟେରେ ଏହା ଅଧିକ ଘନିଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ୧୨ ଜିଲ୍ଲାରେ ପ୍ରବଳରୁ ପ୍ରବଳତର  ବର୍ଷା ସମ୍ଭାବନା ରହିଛି। । ସେହିପରି ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ପ୍ରବଳରୁ ପ୍ରବଳତର ବର୍ଷା ହେବ ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ । କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି ।

ଲଗାଣ ବର୍ଷା ପୂର୍ବାନୁମାନ ପରେ ପୁଣି ଥରେ ବନ୍ୟା ଚିନ୍ତା ବଢ଼ିଛି । ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମହାନଦୀ ଫୁଲିପାରେ । ଅନ୍ୟପକ୍ଷରେ ଉତ୍ତର ଓଡ଼ିଶା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଉଛୁଳିବା ସହ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ସମ୍ଭାବ୍ୟ ସ୍ଥିତିକୁ ଦେଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଲଗାଣ ବର୍ଷାକୁ ଲକ୍ଷ୍ୟ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ପାଣିପାଗ ବିଭାଗ ବିଭାଗ ସତର୍କ କରାଇ ଦେଇଛି, ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ଭଦ୍ରକ, କେନ୍ଦୁଝର, ଯାଜପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡା଼ ଓ ସୋନପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅନୁଗୁଳ, ଦେବଗଡ଼, ସମ୍ବଲପୁରର କେତେକ ଜାଗାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଲଗାଣ ବର୍ଷାରେ ତଳି ଇଲାକାରେ ପାଣି ପଶିବା ସହ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇପାରେ ।

ଏହାବାଦ୍‌ ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖ (ଗୁରୁବାର) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଦେବଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବଲାଙ୍ଗିର, ନୂଆପଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ସରକାର ଆଶଙ୍କା କରୁଛନ୍ତି, ଲଗାଣ ବର୍ଷାରେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର ବଢ଼ିପାରେ । ହେଲେ ବର୍ତ୍ତମାନ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଜଳସ୍ତର ସତର୍କ ସଙ୍କେତରୁ ବହୁ ତଳେ ପ୍ରବାହିତ ହେଉଛି ।

ଭିନ୍ନ ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ ଆକଳନ ଅନୁଯାୟୀ ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ପ୍ରଭାବରେ ମହାନଦୀ ଫୁଲିପାରେ । ଲଗାଣ ବର୍ଷାରେ ଉପକୂଳ ଓଡ଼ିଶାର ତଳି ଇଲାକାରେ ପାଣି ଜମିବା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବି ନଦୀ ଜଳସ୍ତର ବଢ଼ିବ । ତେବେ ଉତ୍ତରରେ ବର୍ଷା କମ୍‌ ରହିବ । ସେ କହିଛନ୍ତି, ୧୯ ତାରିଖ ଅପରାହ୍ନରୁ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଭାରି ବର୍ଷା ସମ୍ଭାବନା ଅଛି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅବିଭକ୍ତ ବଲାଙ୍ଗିର, ଅବିଭକ୍ତ କୋରାପୁଟ, ଅବିଭକ୍ତ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶା ସୀମାନ୍ତରେ ସ୍ୱଳ୍ପରୁ ମଧ୍ୟମରୁ ବର୍ଷା ହୋଇପାରେ।

୨୦ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ । ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ ଅବିଭକ୍ତ ଗଞ୍ଜାମରେ ଭାରି ବର୍ଷା ହୋଇପାରେ । ଅନ୍ୟ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । ୨୧ରୁ ବର୍ଷା କମିବ । ଏହି ଲଘୁଚାପ ଯୋଗୁ ୨୦ ଓ ୨୧ରେ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହା ଫଳରେ ମହାନଦୀ ଜଳସ୍ତର ଫୁଲିପାରେ । ୧୯ ଓ ୨୦ରେ ଦକ୍ଷିଣରେ ଋଷିକୂଲ୍ୟା ନଦୀ ଜଳସ୍ତର ବଢ଼ିବା ସମ୍ଭାବନା ଅଛି । ସେହିପରି ୨୦ ଓ ୨୧ରେ ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ନଦୀ ଜଳସ୍ତର ବଢ଼ିପାରେ । ଦୁଇଦିନ ତଳର ସ୍ଥିତି ତୁଳନାରେ ବର୍ତ୍ତମାନ ସବୁ ନଦୀରେ ଜଳ ସ୍ତର କମିଛି । ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍‌କୁ ଆଜି ବନ୍ଦ କରାଯାଇଛି । ଏବେ ୧୮ଟି ଗେଟ୍‌ ଖୋଲା ଅଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨, ୬୩, ୩୮୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨, ୯୧, ୯୮୫ କ୍ୟୁସେକ ଜଳ ଛଡ଼ାଯାଉଛି । ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳସ୍ତର କମୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.