ସକ୍ରିୟ ଲଘୁଚାପ : ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ, ସମସ୍ତ ବନ୍ଦର ପାଇଁ ୩ ନମ୍ବର ସତର୍କ ସୂଚନା

Published By : Prameya-News7 Bureau | August 15, 2020 IST

ଭୁବନେଶ୍ୱର ୧୫।୦୮: ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସ୍ପଷ୍ଟ ରୂପ ନେଇଛି । ଯାହା ଆସନ୍ତା ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ । ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ୧୬ ତାରିଖ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହା ସହିତ ରାଜ୍ୟର ସମସ୍ତ ବନ୍ଦର ପାଇଁ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି, ଲଘୁଚାପ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ସେହିପରି ମନସୁନ୍‌ ଟ୍ରପ୍‌ଲାଇନ୍‌ ଯାହା ଜୟସାଲମେର, କୋଟା, ଗୁନା, ଜବଲପୁର, ପେଣ୍ଡ୍ରା ରୋଡ୍‌ ଦେଇ ଗତି କରୁଛି ତାହା ଲଘୁଚାପର କେନ୍ଦ୍ର ଦେଇ ଗତି କରିବ । ଉତ୍ତର ଉପକୂଳ ଓଡ଼ିଶା ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇବ । ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହୋଇଥିବାରୁ ଶନିବାର ଓ ରବିବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ପୁରୀ, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଓ ଦେଓଗଡ଼ର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ସେହି ସମୟରେ ତଳିଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ଏହା ସହିତ ମାଟିଘରଗୁଡ଼ିକ କ୍ଷତି ହେବାର ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼,ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିବା ସହିତ ଉପରୋକ୍ତ ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ସୂଚନା ଦେଇଛନ୍ତି ।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । କାଁ ଭାଁ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୦ ଓ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.