Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ, ଆସନ୍ତା ୩ ଦିନ ଯାଏଁ କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

11/05/2020 at 8:54 AM

ଭୁବନେଶ୍ୱର ୧୧।୦୫: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଅଧିକ ରହିବ। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବ ଏବଂ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଫଳରେ ଆସନ୍ତା ୩/୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ଆଖିଦୃଶିଆ ପରିବର୍ତ୍ତନ ହେବନାହିଁ। ଆଜି ରାଜ୍ୟରେ କାଳବୈଶାଖୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୋମବାର ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ମଙ୍ଗଳବାର ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ୧୩ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି । ରବିବାର ୪ଟି ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼ରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୦ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୨ ଡିଗ୍ରୀ ଓ ତାଳଚେରରେ ୪୧.୪ ତାପମାତ୍ରା ରେକର୍ଡ କରାଯାଇଛି ।

   Related Posts