ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା

Published By : Prameya-News7 Bureau | August 11, 2020 IST

ଭୁବନେଶ୍ୱର ୧୧।୦୮: ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା କରାଯାଉଥିଲା। ସତର୍କ ସୂଚନା ବି ଜାରି କରାଯାଇଥିଲା । ମାତ୍ର ବଡ଼ ବର୍ଷା ହେଲାନି । ଅଳ୍ପ କିଛି ଜାଗାରେ ମଧ୍ୟମରୁ ପ୍ରବଳ ବର୍ଷା ହେଲା। ବିସ୍ତୃତ ଅଞ୍ଚଳରେ ବର୍ଷିଲାନି ଲଘୁଚାପ। ଖୁବ୍‌ ଅଳ୍ପ ସମୟ ଭିତରେ ଲଘୁଚାପ ଓଡ଼ିଶା ଡେଇଁ ମଧ୍ୟପ୍ରଦେଶ ପଳାଇଲା । ତେବେ ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୩ ତାରିଖବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଦେଖାଦେଇଛି।

ପାଣିପାଗ ବିଭାଗ କହିଛି, ରବିବାର ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ ସୋମବାର ଆଉ ନଥିଲା । ଓଡ଼ିଶା ଡେଇଁ ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ପହଞ୍ଚିଯାଇଛି । ତେଣୁ ଓଡ଼ିଶାରେ ଯେଉଁଭଳି ବର୍ଷା ଆଶା ବା ଆଶଙ୍କା କରାଯାଉଥିଲା, ସେଭଳି ବର୍ଷା ହେଲାନି କିମ୍ବା ସମ୍ଭାବନା ବି ଦିଶୁନାହିଁ ।

ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ମୌସୁମୀ ସ୍ୱାଭାବିକ ରହିଛି । ରାଜ୍ୟରେ ବଡ଼ ଧରଣର କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ହେବନାହିଁ । କେତେକ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ମାତ୍ର ପ୍ରବଳରୁ ପ୍ରବଳତର କିମ୍ବା ଅତି ପ୍ରବଳ ବର୍ଷା ସମ୍ଭାବନା ନାହିଁ ।

ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଦେବଗଡ଼, ମାଲକାନଗିରିରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧୨ ତାରିଖରେ ବି ରାଜ୍ୟର ଅନେକ ସ୍ଥାନରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ଅନୁଗୁଳ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ଯାଜୁପରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଅନୁମାନ କରାଯାଉଛି, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖବେଳକୁ ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ବର୍ଷା ବଢ଼ିବ । ହେଲେ ବଡ଼ ଧରଣର କିମ୍ବା ଲଗାଣ ବର୍ଷା ସମ୍ଭାବନା ଦେଖାଯାଉନି ।

୧୩ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୧୪ ତାରିଖରେ ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

ଚଳିତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଅଭାବ ରହିଛି । ଜୁଲାଇରେ ବର୍ଷାର ନିଅଣ୍ଟିଆ ସ୍ଥିତି ଚିନ୍ତା ବଢ଼ାଇଥିଲା । ଧାରା ଶ୍ରାବଣ ଯେପରି ଖରା ଶ୍ରାବଣ ମାସରେ ପରିଣତ ହୋଇଥିଲା । ଅଗଷ୍ଟ ପ୍ରଥମ ସପ୍ତାହରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସ୍ଥିତି ସୁଧୁରିଥିଲା । ଆଶା କରାଯାଉଥିଲା, ଦ୍ୱିତୀୟ ସପ୍ତାହରେ ଲଘୁଚାପ ବର୍ଷାର ନିଅଣ୍ଟିଆ ସ୍ଥିତି ଭରଣା କରିଦେବ। ମାତ୍ର ସେଭଳି ହେଲାନି । ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୧୩% ବର୍ଷା କମ୍‌ ରହିଛି । ଏବେ ବି ୧୨ଟି ଜିଲ୍ଲାରେ ବର୍ଷା କମ୍‌ ରହିଛି ।

ସୋମବାର ରାଜ୍ୟରେ ବିଶେଷ ବର୍ଷା ନାହିଁ । କାଁ ଭାଁ ବର୍ଷା ହୋଇଛି । ଫୁଲବାଣୀ, ମାଲକାନଗିରିରେ ସ୍ୱଳ୍ପ ବର୍ଷା ହୋଇଛି। ବାକି ସବୁଠି ପାଗ ଶୁଖିଲା । ଏପଟେ ଖରା ବି ବଢ଼ିଯାଇଛି । ରବିବାର ସକାଳରୁ ସୋମବାର ସକାଳ ଭିତରେ ପାରଳାଖେମୁଣ୍ଡିରେ ୭୦ ମିଲିମିଟର, ମାଧବରିଡ଼ାରେ ୭୨.୨ ମିମି, ବେଲଗୁଣ୍ଠାରେ ୭୦ ମିମି, ତେଲକୋଇରେ ୭୦, ଭଞ୍ଜନଗରରେ ୫୦, ଲାଠିକଟାରେ ୫୦, କଣିହାଁରେ ୪୦, ଦେଓଗଡ଼ରେ ୪୨, ପାନପୋଷରେ ୪୦, ଗୁଡ଼ାରୀରେ ୪୦, ରାଜଗାଙ୍ଗପୁରରେ ୪୦, କେନ୍ଦୁଝରଗଡ଼ରେ ୪୦, ଜି.ଉଦୟଗିରିରେ ୪୦, ଜମନକିରାରେ ୪୦, ଦାରିଙ୍ଗିବାଡ଼ିରେ ୪୦ ମିମି, ଛେଣ୍ଡିପଦାରେ ୩୮ ମିମି ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.