ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ, ରାଜ୍ୟର କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା

Published By : Prameya-News7 Bureau | August 10, 2020 IST

ଭୁବନେଶ୍ୱର ୧୦।୦୮: ଆସନ୍ତା ୧୪ ତାରିଖ ଯାଏଁ ରାଜ୍ୟରେ ବର୍ଷା ପ୍ରକୋପ ଅଧିକ ରହିବ । ଉପକୂଳ ତୁଳନାରେ ବେଶି ବର୍ଷା ହେବ ଆଭ୍ୟନ୍ତରୀଣ ଓଡ଼ିଶାରେ । ଆଜିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ଓ ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏ ନେଇ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।

ପାଣିପାଗ ବିଭାଗ କହିଛି, ଗତକାଲି ସକାଳେ ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ପାଖରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଅପରାହ୍ନ ସୁଦ୍ଧା ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ଥିଲା । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ବର୍ଷା ସମ୍ଭାବନା ରହିଛି ।

ଆଜିଠୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶାର ଅନେକ ଜାଗାରେ ବି ବର୍ଷା ହୋଇପାରେ । ତେବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା, ବଲାଙ୍ଗିରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲାର ତଳି ଇଲାକାରେ ପାଣି ପଶିଯିବା ଆଶଙ୍କା ରହିଛି। ଏ ନେଇ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ମଙ୍ଗଳବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ବି ବର୍ଷା ହେବ। ବରଗଡ଼, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓକୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ବୁଧବାର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା ହେବ । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଗୁରୁବାରଠାରୁ ବର୍ଷା ପ୍ରକୋପ ସାମାନ୍ୟ କମିବ ବୋଲି ପାଣିପାଗ ବିଭାଗ କହିଛି।

ତେବେ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ମୌସୁମୀ ଟ୍ରଫ୍‌ ସହ ମିଶିଯିବ । ୧୧ ତାରିଖରେ ମୌସୁମୀ ଟ୍ରଫ୍‌ ଆହୁରି ବିସ୍ତୃତ ହୋଇ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରକୁ ବିସ୍ତାର କରିବ । ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଯାହାକି ୨୪ ଘଣ୍ଟାରେ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗରେ ମିଶିଯିବ । ଫଳତଃ ରାଜ୍ୟରେ ମୌସୁମୀ ଅଧିକ ସକ୍ରିୟ ହେବ ।

୧୦ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ । ବାକି ଅଞ୍ଚଳରେ ହାଲୁକା ବର୍ଷା ହେବ । ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୧୧ରେ ରାଜ୍ୟର ଅଧିକାଂଶ ଜାଗାରେ ସ୍ୱଳ୍ପ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହେବ । ୧୨ ଓ ୧୩ ତାରିଖରେ ସାରା ଓଡ଼ିଶାରେ ବର୍ଷା ହେବ । ମୁଖ୍ୟତଃ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ଭାରି (୩୫ ମିମିରୁ ୬୪ ମିମି) ବର୍ଷା ସମ୍ଭାବନା ରହିଛି । ୧୪ରୁ ବର୍ଷା ପ୍ରକୋପ ସାମାନ୍ୟ କମିବ । ତଥାପି ୧୪ ଓ ୧୫ରେ ଆଭ୍ୟନ୍ତରୀଣ ଉତ୍ତରରେ ମଧ୍ୟମ ଓ ଅନ୍ୟାନ୍ୟ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ୧୬ରେ ରାଜ୍ୟରେ ସ୍ୱଳ୍ପ ବର୍ଷା ହେବ ବୋଲି ଡକ୍ଟର ପଶୁପାଳକ ଆକଳନ କରିଛନ୍ତି।

ଗତ ୨୪ ଘଣ୍ଟା ଭିତରେ ରାଇରଙ୍ଗପୁରରେ ୧୦୯ ମିଲିମିଟର, ନାକଟିଦେଉଳରେ ୧୦୬ ମିମି, କେନ୍ଦ୍ରାପଡ଼ାରେ ୧୦୫, ଡେରାବିଶରେ ୧୦୧, ଉଦଳାରେ ୫୧.୪, ଜୟପୁରରେ ୬୨.୪, ଦଶପଲ୍ଲାରେ ୬୫, ମଦନପୁର ରାମପୁରରେ ୫୭, ପାଇକମାଳରେ ୫୪, ବେତନଟୀରେ ୬୦, ଯୁଯୁମୁରାରେ ୮୦, କୋଟପାଡ଼ରେ ୬୦, ବଅଁରପାଳରେ ୬୦, ନର୍ଲାରେ ୬୦ ମିମି ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.