ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ : ପ୍ରବଳରୁ ଅତି ପ୍ରବଳ ବର୍ଷା , ବଢିବ ନଦୀର ଜଳସ୍ତର

Published By : Prameya-News7 Bureau | August 09, 2020 IST

ଭୁବନେଶ୍ୱର ୦୯।୦୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ଆଜି ଉତ୍ତର ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ।  ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୩-୧୪ ତାରିଖ ଯାଏଁ ବର୍ଷା ଲାଗି ରହିବ । ବେଶି ବର୍ଷିବ ଦକ୍ଷିଣ ଓଡ଼ିଶାରେ । ଦକ୍ଷିଣରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି । ଏହାସହିତ ଲଗାଣ ବର୍ଷା ଯୋଗୁ ନଦୀ ଫୁଲିବା ସହ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆକଳନ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, ପୁରୀ, ଗଞ୍ଜାମ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣପାଗ ବିଜ୍ଞାନ କେନ୍ଦ୍ର । ସେଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣିଂ ଜାରି କରାଯାଇଛି ।

ସେହିପରି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ  ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି । ୧୦ ତାରିଖରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ନୟାଗଡ଼, ନବରଙ୍ଗପୁର, ଗଞ୍ଜାମ, ମାଲକାନଗିରି,  ପୁରୀ, ଖୋର୍ଦ୍ଧା, ସୋନପୁର, ସମ୍ବଲପୁର, ଅନୁଗୁଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୧ ତାରିଖରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ଲଘୁଚାପ ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ୯  ରୁ ୧୧ ତାରିଖ ଯାଏ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ, ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.