ଆସୁଛି ଆଉ ଏକ ଲଘୁଚାପ : ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

Published By : Prameya-News7 Bureau | August 08, 2020 IST

ଭୁବନେଶ୍ୱର ୦୮।୦୮: ଆସନ୍ତା ୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବର ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆଜି ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୧୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡିକ ହେଲା ଜଗତସିଂହପୁର, ପୁରୀ, ଗଂଜାମ ଓ ସୁନ୍ଦରଗଡ । ସେହିଭଳି କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡାରେ ଝଡତୋଫାନ ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାକ କେନ୍ଦ୍ର  । ଅପରପକ୍ଷେ ଧୀବରଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗଭୀର ସମୂଦ୍ର ଭିତରକୁ ଯିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବାରଣ କରିଛି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ମାତ୍ର ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ସମେତ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖ ସନ୍ଧ୍ୟା ବେଳକୁ ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୯ ରାତି କିମ୍ବା ୧୦ ତାରିଖରୁ ବର୍ଷା ବଢ଼ିବ । ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ସେହିପରି ୧୨ ତାରିଖ ଉପରବେଳାରୁ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ରାଜ୍ୟରେ ବର୍ଷାର ପରିମାଣ ବଢ଼ିଛି । ଯାହା ବର୍ତ୍ତମାନ ସମୟରେ ସ୍ୱାଭାବିକ ବର୍ଷାର ପରିମାଣ ସହ ସମାନ । ତଥାପି ୯ଟି ଜିଲ୍ଲାରେ ବର୍ଷା କମ୍‌ ହୋଇଛି । ୯ ତାରିଖ ଲଘୁଚାପ ପ୍ରଭାବରେ ବର୍ଷା ହେଲେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି । ମନସୁନ୍‌ ଟ୍ରପ୍‌ ଲାଇନ୍‌ ମିର୍ଜାପୁର, ବାଙ୍କୁଡା ଓ ଦୀଘା ହୋଇ ଦକ୍ଷିଣ ପଶ୍ଚିମ ଆଡ଼କୁ ଗତି କରୁଛି । ଯାହା ଉତ୍ତର-ପୂର୍ବ ବଙ୍ଗୋପସାଗରରେ ମିଶିଛି ।

ସେହିପରି ଘୂର୍ଣ୍ଣିବଳୟରୁ ସୃଷ୍ଟି ହୋଇଥିବା ଅନ୍ୟ ଏକ ଟ୍ରପ୍‌ଲାଇନ୍‌ କୁଚ୍‌, ଗାଙ୍ଗେୟ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଓ ଝାଡ଼ଖଣ୍ଡର ଉପରିଭାଗରେ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.