ବଙ୍ଗୋପସାଗରେ ଲଘୁଚାପ : ଆଜି ପ୍ରବଳ-କାଲି ସାମାନ୍ୟ ବର୍ଷା , ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Published By : Prameya-News7 Bureau | August 05, 2020 IST

ଭୁବନେଶ୍ୱର ୫।୮ : ଯାହା ପୂର୍ବାନୁମାନ କରାଯାଉଥିଲା, ସେଇଆ ହେଲା । ଲମ୍ବା ପ୍ରତୀକ୍ଷା ପରେ ଶୁଖିଲା ଜମିକୁ ଭିଜାଇଛି ବର୍ଷା । ଚାଷୀ ମନରେ ଭରିଛି ଆଶା । ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି । ଲଘୁଚାପ ଓଡ଼ିଶାରେ ଆହୁରି ୨ ଦିନ ବର୍ଷା କରାଇବ । ବେଶି ବର୍ଷିର୍ବ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କଟକ, ଭୁବନେଶ୍ୱର, ପାରାଦୀପ, କେନ୍ଦୁଝର, ସମ୍ବଲପୁର, ଟିଟିଲାଗଡ଼, ଭବାନୀପାଟଣା, କୋରାପୁଟ, ବାଲେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସେହିପରି ଆଜି ରାତିରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି ବର୍ଷା ହୋଇଥିବା ଖବର ମିଳିଛି । ପାଣିପାଗ ପୂର୍ବାନୁମାନ କହୁଛି, ବୁଧବାର ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ସମ୍ଭାବନା ରହିଛି । ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ଅନୁଗୁଳ, ନୂଆପଡ଼ା, ସୋନପୁର, ବଲାଙ୍ଗିରରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୁରୁବାର ବର୍ଷା ପରିମାଣ କମିବ । ରାଜ୍ୟର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ସୁନ୍ଦଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୭ରେ ବର୍ଷା କମିଯିବ । ତେବେ ୯ରୁ ପୁଣି ବର୍ଷା ବଢ଼ିବ ।

ପ୍ରବଳ ବର୍ଷା ସମ୍ଭାବନାକୁ ଲକ୍ଷ୍ୟ କରି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା । ନିର୍ଦ୍ଦେଶନାମାରେ କୁହାଯାଇଛି, ଲଗାଣ ବର୍ଷାରେ ତଳି ଅଞ୍ଚଳରେ ପାଣି ଜମିପାରେ । ତେଣୁ ସ୍ଥିତି ଉପରେ ନଜର ରଖିବା ସହ ପ୍ରସ୍ତୁତ ରହିବାକୁ ପଡ଼ିବ । ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳରେ ପବନର ବେଗ ଅଧିକ ରହିବ । ମତ୍ସ୍ୟଜୀବୀମାନେ ଆସନ୍ତା ଦୁଇଦିନ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆଜି ସକାଳ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ୧୬% କମ୍‌ ଥିଲା । ୧୩ଟି ଜିଲ୍ଲାରେ ବର୍ଷାର ଅଭାବ ରହିଥିଲା । ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷା କମ୍‌ ଥିବାରୁ ଚାଷ କାମ ଆଗେଇପାରିନି । ଏହି ବର୍ଷା ପରେ ସ୍ଥିତି ବଦଳିବା ଆଶା କରାଯାଉଛି ।

ଏଯାବତ୍‌ ରାଜ୍ୟରେ ମୌସୁମୀ ଲୁଚକାଳି ଖେଳ ଖେଳୁଥିଲେ । ତେବେ ବର୍ଷା ହେବା ଫଳରେ ପୁରୀ ଜିଲ୍ଲାରେ ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହୋଇଛି । ପୁରୀ ଜିଲ୍ଲାର ପିପିଲିରେ ୧୪୪ ମିଲିମିଟର, ନିମାପଡ଼ାରେ ୧୩୦.୮, ଗୋପରେ ୯୮.୨, ସତ୍ୟବାଦୀରେ ୮୭, କାକଟପୁରରେ ୭୪.୩ ମିମି ବର୍ଷା ହୋଇଛି । ରାଜ୍ୟର ବାକି ଅଞ୍ଚଳରେ ବି ପ୍ରବଳ ବର୍ଷା ହୋଇଛି । ବାଲିପାଟଣାରେ ୧୧୪.୬ ମିମି, ବାରକୋଟରେ ୧୦୩.୬, ଚାନ୍ଦବାଲିରେ ୯୫.୮ ମିମି, ଯୋଡ଼ାରେ ୭୨.୮, କୋଟପାଡ଼ରେ ୭୨, ଭଦ୍ରକରେ ୬୫, କୁଚିଣ୍ଡାରେ ୬୫.୨ ମିମି ବର୍ଷା ଅଜାଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.