ରାଜ୍ୟରେ ସକ୍ରିୟ ଲଘୁଚାପ : ପ୍ରଭାବରେ ୬ ଯାଏଁ ବର୍ଷା , ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Published By : Prameya-News7 Bureau | August 04, 2020 IST

ଭୁବନେଶ୍ୱର ୦୪।୦୮: ଚାଷୀ ମନରେ ଆଶା ଭରିଛି ସମ୍ଭାବ୍ୟ ଲଘୁଚାପ । ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ଏହା ଆଜି ଉତ୍ତର ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ସାରା ରାଜ୍ୟରେ ୬ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ପୂର୍ବାନୁମାନ କହୁଛି ଯେ, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ୪ ଓ ୫ ତାରିଖରେ ବେଶି ବର୍ଷିବ । କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ତେବେ ଉପକୂଳ ଅଞ୍ଚଳ ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବେଶି ବର୍ଷା କରାଇବ ଏହି ଲଘୁଚାପ ।

ସମ୍ଭାବ୍ୟ ଲଘୁଚାପ ପ୍ରଭାବ ଅନୁଭୂତ ହେଲାଣି । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ମୟୂରଭଞ୍ଜ, ବୌଦ୍ଧ, ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, କଟକରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୫ ତାରିଖରେ (ବୁଧବାର) ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଓ ଉପକୂଳର ଅନେକ ଜାଗାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି ହୋଇଛି । ନୂଆପଡ଼ା, ବଲାଙ୍ଗିର, ଅନୁଗୁଳ, କେନ୍ଦୁଝରର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୬ ତାରିଖ (ଗୁରୁବାର) ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳର ଅଳ୍ପ କେତେକ ଜାଗାରେ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୭ରୁ ବର୍ଷା କମିଯିବ ।

ସୋମବାର ସକାଳରୁ ସନ୍ଧ୍ୟା ସୁଦ୍ଧା ଚାନ୍ଦବାଲିରେ ୯୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବାଲେଶ୍ୱରରେ ୪୪ ମିମି ବର୍ଷା ହୋଇଛି। ପାରାଦୀପରେ ୧୪ ମିମି ବର୍ଷା ହୋଇଥିବାବେଳେ ସନ୍ଧ୍ୟାରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ଏହାବାଦ୍‌ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକ ଜିଲ୍ଲାର ମୁଣ୍ଡୁଳିଠାରେ ସର୍ବାଧିକ ୧୨୧.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । କଣ୍ଟାପଡ଼ାରେ ୬୫ ମିମି, ରେଙ୍ଗାଳିରେ ୮୪ ମିମି, ତାଳଚେରରେ ୭୫ ମିମି, ବଅଁରପାଳରେ ୬୪.୮ ମିମି, ପର୍ଜଙ୍ଗରେ ୭୧.୧ ମିମି ଓ ମାଲକାନଗିରିର ମାଥିଲିରେ ୭୫ ମିମି ବର୍ଷା ହୋଇଛି । ଏହା ପ୍ରଭାବରେ ଦିନ ତାପମାତ୍ରା ସାମାନ୍ୟ କମିଛି । କେତେକ ଜାଗାରେ ପାଗ ବଦଳିଛି । ଆଂଶିକ ମେଘୁଆ ପାଗ ରହିଛି ।

ଆସନ୍ତା ୯ କିମ୍ବା ୧୦ ତାରିଖବେଳକୁ ଆଉ ଏକ ଲଘୁଚାପ ଆସିପାରେ । ଏ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଏବଂ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପ୍ରାୟତଃ ସମାନ ପୂର୍ବାନୁମାନ କରିଛନ୍ତି । ଦ୍ୱିତୀୟ ଲଘୁଚାପ ପ୍ରଭାବରେ ୯ରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ ବୋଲି ଆକଳନ କରାଯାଉଛି ।

ଏଇ ଲଘୁଚାପଜନିତ ବର୍ଷା ହେଲେ ରାଜ୍ୟରେ ଚାଷ ପାଇଁ ଜଳ ସମସ୍ୟା ଦୂର ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି । ଜୁନ୍‌ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୪୯୮.୯ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକଠାରୁ ୧୭% କମ୍‌ । ଏଯାବତ୍‌ ୧୩ଟି ଜିଲ୍ଲାରେ ବର୍ଷା ପରିମାଣ କମ୍‌ ରହିଛି । ପୁରୀରେ ୪୮% ବର୍ଷା କମ୍‌ ଥିବାବେଳେ କେନ୍ଦ୍ରାପଡ଼ାରେ ବି ୪୮% ବର୍ଷା ଅଭାବ ରହିଛି । ଯାଜପୁରରେ ସ୍ୱାଭାବିକ ତୁଳନାରେ ୪୭%, ଖୋର୍ଦ୍ଧାରେ ୪୬%, ବାଲେଶ୍ୱରରେ ୧%, କଟକରେ ୪୦%, ସୋନପୁରରେ ୩୭%, ଜଗତସିଂହପୁରରେ ୩୪%,ଭଦ୍ରକରେ ୨୯%, ମୟୂରଭଞ୍ଜରେ ୨୬%, ନୟାଗଡ଼ରେ ୨୫%, କେନ୍ଦୁଝରରେ ୨୨% ଓ ବଲାଙ୍ଗୀରରେ ୨୧% କମ୍‌ ବର୍ଷା ରହିଛି ।

ଜୁଲାଇରେ ବର୍ଷା ଅଭାବ ସ୍ଥିତି ସବୁଠୁ ସଙ୍ଗୀନ ଥିଲା । ୨୦ରୁ ଅଧିକ ଜିଲ୍ଲାରେ ବର୍ଷା କମିଥିଲା । ଯାହାକି ଗଜା ମରୁଡ଼ି ସ୍ଥିତି ଆଣିଛି । ବର୍ତ୍ତମାନ ବର୍ଷା ହେଲେ ଚାଷ ସ୍ଥିତି ସୁଧୁରିବା ନେଇ ଅନେକ ଚାଷୀ ଆଶାବାଦୀ ଅଛନ୍ତି । ବହୁ ଚାଷୀ ଚାଷ ସୁଧୁରିବା ଆଶା ଛାଡ଼ି ଦେଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.