ଆସିଲା ମୌସୁମୀ, ହେଲେ ବର୍ଷିଲାନାହିଁ : ବିଲ ଫାଟି ଆଁ , ଚିନ୍ତାରେ ଚାଷୀ

Published By : Prameya-News7 Bureau | July 30, 2020 IST

ଭୁବନେଶ୍ୱର ୩୦।୦୭ : ଆଉ ଦୁଇ ଦିନ ପରେ ସରିବ ଜୁଲାଇ । ଏଯାଏଁ ଆଶାନୁଯାୟୀ ବର୍ଷିଲା ନାହିଁ ମୌସୁମୀ । ଜୁନ୍‌ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୧୧ ଜିଲ୍ଲାରେ ମୌସୁମୀ ବର୍ଷାର ଅଭାବ ରହିଥିବାବେଳେ ସବୁଠୁ ସାଂଘାତିକ ସ୍ଥିତି ଉପୁଜିଲା ଏଇ ଜୁଲାଇ ମାସରେ । ପ୍ରତି ସପ୍ତାହରେ ବର୍ଷାର ଘୋର ଅଭାବ ରହିଛି । ଚତୁର୍ଥ ସପ୍ତାହରେ(୨୩-୨୯ ତାରିଖ) ୩୦% କମ୍‌ ବର୍ଷା ହୋଇଛି ଓଡ଼ିଶାରେ ।

ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ଜାଗାରେ ଭଲ ବର୍ଷା ହୋଇଛି । ତଥାପି ଉପକୂଳ ଓଡ଼ିଶା ଶୁଖିଲା ପଡ଼ିଛି । ବର୍ଷା ଅଭାବରୁ ଚାଷ କାମ ଆଗେଇ ପାରୁନି । ଧାନ ତଳି ପୋଡ଼ିଗଲାଣି । ବିଲ ଫାଟି ଆଁ କରିଛି । ଧାନ ବୁଣା ସରିଥିବା ଜାଗାରେ ବେଉଷଣ ହୋଇପାରୁନି । ଏପଟେ ଗରମ ବି ଅସହ୍ୟ ହେଲାଣି ।

ପାଣିପାଗ ବିଭାଗ କହିଛି, ଗତ ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୫୩୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକଠାରୁ ୧୨% କମ୍‌ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ମୟୂରଭଞ୍ଜ, କେନ୍ଦୁଝର ଓ ସୋନପୁରରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଛି ।

ଜୁଲାଇ ୨୩ରୁ ୨୯ ତାରିଖ ଭିତରେ ରାଜ୍ୟରେ ମାତ୍ର ୫୫.୫ ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୩୦% କମ୍‌। ୨୦ଟି ଜିଲ୍ଲାରେ ବର୍ଷା ପରିମାଣ କମ୍‌ ରହିଛି । ଏଥିମଧ୍ୟରୁ ୬ଟି ଜିଲ୍ଲା ପୂରା ଶୁଖିଲା ପଡ଼ିଛି । ଏଠାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ ୬୦%ରୁ ଅଧିକ କମିଯାଇଛି ।

ଏଇ ସପ୍ତାହକ ଭିତରେ ମାଲକାନଗିରିରେ ୭୫% କମ୍‌ ବର୍ଷା ହୋଇଥିବାବେଳେ ଜଗତସିଂହପୁରରେ ୬୯%, ବାଲେଶ୍ୱରରେ ୬୬%, କେନ୍ଦ୍ରାପଡ଼ାରେ ୬୩%, ଯାଜପୁରରେ ୬୨% ଓ ସୋନପୁରରେ ୬୨% କମ୍‌ ବର୍ଷା ହୋଇଛି । ପୁରୀ, ଖୋର୍ଦ୍ଧା, କଟକ, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, କୋରାପୁଟରେ ସ୍ୱାଭାବିକଠାରୁ ୨୦%ରୁ ୫୯% ପର୍ଯ୍ୟନ୍ତ କମ୍‌ ବର୍ଷା ହୋଇଛି । ଏଥିରୁ ଅନୁମାନ କରାଯାଇପାରେ ବର୍ଷା ଅଭାବ ସ୍ଥିତି ରାଜ୍ୟର ଅଧିକାଂଶ ଜିଲ୍ଲାର ଚିନ୍ତା ବଢ଼ାଇ ଦେଲାଣି । ଗୋଟିଏ ପଟେ ଚାଷ କାମ ପଛେଇ ଥିବାବେଳେ ମରୁଡ଼ି ଆଶଙ୍କା ଘାରିଲାଣି । ଅନ୍ୟପକ୍ଷରେ ବର୍ଷା ଅଭାବରୁ ଗରମ ପ୍ରକୋପ ବଢ଼ିଛି । ଜୀବନ ଦୁର୍ବିସହ ହୋଇପଡ଼ିଲାଣି ।

ଏଭଳି ସ୍ଥିତିରେ ଆଶା ଦେଖାଇଛି ପାଣିପାଗ ପୂର୍ବାନୁମାନ । ଅନୁମାନ କରାଯାଉଛି, ଆସନ୍ତା ୩ ତାରିଖବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୩ରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ନିଅଣ୍ଟିଆ ସ୍ଥିତି ଦୂର ହୋଇପାରେ ।

ଆଜି ରାଜ୍ୟରେ ବିଶେଷ ବର୍ଷା ନାହିଁ । ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ । ଆସନ୍ତା ୩୧ରୁ ୨ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.