ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଅଗଷ୍ଟ ପ୍ରଥମ ସପ୍ତାହରୁ ଲଘୁଚାପ ବର୍ଷା

Published By : Prameya-News7 Bureau | July 27, 2020 IST

ଭୁବନେଶ୍ୱର ୨୭।୦୭: ଅଗଷ୍ଟ ପ୍ରଥମ ସପ୍ତାହରୁ ରାଜ୍ୟରେ ଲଘୁଚାପ ବର୍ଷା ହେବ । ପାଣିପାଗବିତ୍‌ ଏଭଳି ପୂର୍ବାନୁମାନ କରିଛନ୍ତି । ଅଗଷ୍ଟ ୫ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବ । ଉତ୍ତର ବଙ୍ଗୋପସାଗର ଅଗଷ୍ଟ ପ୍ରଥମ ସପ୍ତାହରେ ମୌସୁମୀ ସକ୍ରିୟ ହେବା ସହିତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ପଶୁପାଳକ ଅନୁମାନ କରିଛନ୍ତି, ଆସନ୍ତା ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଏହା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ । ଯାହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଅଗଷ୍ଟ ୧ରେ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ । ଫଳରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୩୧ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବା ସମ୍ଭାବନା ଅଛି। ଆସନ୍ତା ୨୮ରେ ଝାଡ଼ଖଣ୍ଡରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଯୋଗୁଁ ୨୮ରୁ ୩୦ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଏହା ସଂଲଗ୍ନ ଉତ୍ତର-ପଶ୍ଚିମ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ । ଏହା ସହିତ ଆଭ୍ୟନ୍ତରୀଣ ପଶ୍ଚିମ-ଓଡ଼ିଶାରେ ମଧ୍ୟ ବର୍ଷା ହେବ ।

ସେହିପରି ଅଗଷ୍ଟ ୨ରେ ଛତିଶଗଡ଼ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଫଳରେ ବଲାଙ୍ଗୀର ଓ ଏହା ସଂଲଗ୍ନ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅଗଷ୍ଟ ୨ରୁ ୪ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହେବ । ଅଗଷ୍ଟ ୫ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୬ ତାରିଖରେ ଏହା ଲଘୁଚାପରେ ପରିଣତ ହୋଇପାରେ। ଯାହା ମୌସୁମୀକୁ ଅଧିକ ସକ୍ରିୟ କରିବା ସହିତ ୬ରୁ ଦୁଇ ତିନି ଧରି ରାଜ୍ୟରେ ବିସ୍ତୃତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରକୋପ କେତେ ରହିବ, ତାହା ଅଗଷ୍ଟ ୧ ସୁଦ୍ଧା ଜଣାପଡିବ।

ଅପରପକ୍ଷେ ବର୍ଷା କମ ହେବା ହେତୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ସ୍ୱାଭାବିକ ତାପମାତ୍ରା ବଢ଼ିଯାଇଛି । ୩୫ଂରୁ ଅଧିକ ୩୬ ଓ ୩୭ଂ ସେଲସିୟସ୍‌ ପର୍ଯ୍ୟନ୍ତ ରେକର୍ଡ଼ କରାଯାଇଛି । ଫସଲର ବାଷ୍ପିକରଣ ମାତ୍ରା ବଢ଼ିଯାଇଛି । ଏହା ସହିତ ବାୟୁର ଆଦ୍ରତା ଅଧିକ ଥିବାରୁ ପ୍ରାୟ ୭ ଡିଗ୍ରୀ ତାପମାତ୍ରା ଅଧିକ ରହିବା ଅନୁଭୂତ ହେଉଛି । ମାଟିରେ ଓଦା ନଥିବାରୁ ତାପମାତ୍ରା ଅଧିକ ଥିବାରୁ କେତେକ ଅଞ୍ଚଳରେ ଧାନ ତଳି ପ୍ରଭୁତ କ୍ଷତି ହୋଇଛି । ତେଣୁ ଚାଷୀଙ୍କୁ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଯେ କୌଣସି ମତେ ତଳିକୁ ବଞ୍ଚାଇ ରଖିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ,ସୋମବାର ରାଜ୍ୟରେ ଖରା ପାଗ ରହିବ । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ଆସନ୍ତା ୩ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩୦ ତାରିଖରୁ ବର୍ଷା ବଢ଼ିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଅନ୍ୟ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲା ଟିକାବାଲିରେ ସର୍ବାଧିକ ୪୫ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ନବାର୍ଣ୍ଣରେ ୩୨ ମିଲିମିଟର, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୩୬ ମିଲିମିଟର, ଭୁବନେଶ୍ୱରରେ ୩୫.୪ ମିଲିମିଟର ଏବଂ କଟକରେ ୩୫ ମିଲିମିଟର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.