ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | July 20, 2020 IST

ଭୁବନେଶ୍ୱର ୨୦।୦୭: ଆଜି ରାଜ୍ୟର ୩ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତାକାଲି ରାଜ୍ୟରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ଦକ୍ଷିଣ ଦିଗରୁ ପବନ ବୋହୁଥିବାରୁ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ହେଲେ ଆସନ୍ତା ୭-୮ଦିନ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ । ହଠାତ ଆକାଶରେ ବାଦଲ ଭାସି ଆସି ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଅପରପକ୍ଷେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ସୋମବାର ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଆସନ୍ତାକାଲି ଉପକୂଳ ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.