ମୌସୁମୀ ସକ୍ରିୟ : ପ୍ରବଳ ବର୍ଷିବ ଆଜି, ଗୁରୁବାର କମିବ ବର୍ଷାର ପରିମାଣ

Published By : Prameya-News7 Bureau | July 15, 2020 IST

ଭୁବନେଶ୍ୱର୧୫।୦୭ :  ଦୁଇଦିନ ହେବ ପାଗ ସାମାନ୍ୟ ବଦଳିଛି । ଆଜି ବି ରାଜ୍ୟର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଗୁରୁବାରଠାରୁ ପୁଣି ବର୍ଷା ପରିମାଣ କମିଯିବ । ରାଜ୍ୟରେ ମୁଖ୍ୟତଃ ହାଲୁକାରୁ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ବର୍ଷା ହେବ । ବଡ଼ ବର୍ଷା ହେବନି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ କହିଛନ୍ତି, ଆସନ୍ତାକାଲି ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହିବ । ତା’ ପରେ ମୌସୁମୀ ସ୍ୱାଭାବିକ ରହିବ । ଆଉ ବଡ଼ ବର୍ଷା ହେବନି । ତଥାପି ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।

ବୁଧବାର ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ନୂଆପଡ଼ା, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରିରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଗୁରୁବାର ବର୍ଷା ପରିମାଣ କମିବ । ତଥାପି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ରାୟଗଡ଼ା, କଳାହାଣ୍ଡିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ । ଏହା ପରେ ବି ରାଜ୍ୟରେ ପ୍ରତିଦିନ ବର୍ଷା ହେବ । ହେଲେ ବର୍ଷା ପରିମାଣ କମ୍‌ ରହିବ । ଗତକାଲି ଟିଟିଲାଗଡ଼ରେ ୬୪.୮ ମିଲିମିଟର, ବଲାଙ୍ଗିରରେ ୩୮.୬ ମିମି, ଭବାନୀପାଟଣାରେ ୨୯.୮, ଚାନ୍ଦବାଲିରେ ୧୨, ରାୟଗଡ଼ାରେ ୧୮ ମିମି ବର୍ଷା ହୋଇଛି । ଏହାବାଦ୍‌ ଗୋପାଳପୁର, ବାରିପଦା, ପୁରୀ, ସୋନପୁରରେ ହାଲୁକା ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.