Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, କିଛି ଜିଲ୍ଲାରେ କାଳବୈଶାଖୀ

4/05/2020 at 11:54 AM

ଭୁବନେଶ୍ୱର ୦୪।୦୫: ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ବଢ଼ିବ । ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗବିତ୍‌ମାନେ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ୫ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ବିଜୁଳି, ଘଡ଼ଘଡ଼ି ସହିତ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ସେହିପରି କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ୫ରୁ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ରାଜ୍ୟରେ ପାଗ ଶୁଖିଲା ରହିବ । ମାତ୍ର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ୪ ଓ ୫ ତାରିଖରେ ତାତି କମ ରହିବ । ହେଲେ ୭ରୁ ତାତି ପୁଣି ବଢ଼ିବ । ଦକ୍ଷିଣ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବାରେ ଲାଗିଛି ବୋଲି ସେ ଆକଳନ କରିଛନ୍ତି ।

   Related Posts