ଲୁଚକାଳି ଖେଳୁଛି ମୌସୁମୀ : ୨୩ ଜିଲ୍ଲାରେ ସ୍ବାଭାବିକ, ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

Published By : Prameya-News7 Bureau | July 14, 2020 IST

ଭୁବନେଶ୍ୱର ୧୪।୦୭: ମୌସୁମୀ ଖେଳୁଛି ଲୁଚକାଳି । ଆସନ୍ତା ଦୁଇଦିନ ରାଜ୍ୟରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। ମାତ୍ର ପୂର୍ବଭଳି ଉପକୂଳ ଓଡ଼ିଶାରେ ଏବେ ବି ଅଧିକ ବର୍ଷା ସମ୍ଭାବନା ନାହିଁ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଭଲ ବର୍ଷା ହୋଇଥିଲେ ମଧ୍ୟ ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି  । ପୁରୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, କଟକ, ବାଲେଶ୍ବର ଓ ସୋନପୁର ଆଦି ଜିଲ୍ଲାରେ ଜୁନ୍  ମାସରୁ ଏଯାଏ ନିଅଣ୍ଟିଆ ବର୍ଷା ହୋଇଛି। ପୁରୀ ଜିଲ୍ଲାରେ ସର୍ବାଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଜୁନ୍  ୧ରୁ ଜୁଲାଇ ୧୩ ତାରିଖ ଯାଏ ପୁରୀରେ ୧୫୧ ମିମି ବର୍ଷା ହୋଇଛି। ଅର୍ଥାତ୍  ୪୪% ନିଅଣ୍ଟିଆ ବର୍ଷା ହୋଇଛି । ୧ ଜୁନ୍ ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୩୫୫.୬ ମିମି ବର୍ଷା ହୋଇଯାଇଛି । ସ୍ବାଭାବିକ ଭାବେ ଏହି ସମୟ ଅବଧି ମଧ୍ୟରେ ସମୁଦାୟ ବର୍ଷା ୩୪୭.୧ ମିମି ବର୍ଷା ହେବା କଥା।

କିନ୍ତୁ ରାଜ୍ୟରେ ତା’ଠାରୁ ଅଧିକ ବର୍ଷା ହୋଇଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୨୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଏଥିମଧ୍ୟରେ ୩ଟି ଜିଲ୍ଲାରେ ୨୦%ରୁ ଅଧିକ ଅତିରିକ୍ତ ବର୍ଷା ହୋଇଛି। ଝାରସୁଗୁଡ଼ା, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୧୫ ତାରିଖ ଦିନ ମଧ୍ୟ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ବରଗଡ଼ ଓ ଅନୁଗୁଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଚଳିତବର୍ଷ ଠିକ୍‌ ସମୟରେ ଓଡ଼ିଶାକୁ ଆସିଥିଲା ମୌସୁମୀ । ମାତ୍ର ଏଯାବତ୍‌ ଆଶାନୁଯାୟୀ ବର୍ଷା ହୋଇନି ରାଜ୍ୟରେ। ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ମାତ୍ର ୨% କମ୍‌ ବର୍ଷିଛି । ଜୁଲାଇରେ ବର୍ଷା ପରିମାଣ ପୂରା କମିଯାଇଛି । ଶ୍ରାବଣରେ ବର୍ଷା ଢାଳିବ କଥା । ହେଲେ ଓଡ଼ିଶାରେ ଏବେ କାଁ ଭାଁ ବର୍ଷା ଛିଞ୍ଚୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.