ରାଜ୍ୟରେ ମୌସୁମୀ ଦୁର୍ବଳ , ୮ ଦିନ ଯାଏ ବିଶେଷ ବର୍ଷା ନାହିଁ

Published By : Prameya-News7 Bureau | July 09, 2020 IST

ଭୁବନେଶ୍ୱର ୦୯।୦୭: ଓଡିଶାରେ ମୌସୁମୀ ଦୁର୍ବଳ। ଏବେ ଅଧିକ ବର୍ଷା ନାହିଁ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ  ଅଳ୍ପ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । କୌଣସି ଘୁର୍ଣ୍ଣିବଳୟ,ଲଘୁଚାପ କିମ୍ବା ଟ୍ରଫଲାଇନ୍ ବି ନାହିଁ।  ମୌସୁମୀ ଠିକ୍ ସମୟରେ ପ୍ରବେଶ କରିଥିଲେ ବି ଏଯାଏ ବଡ ବର୍ଷା ହୋଇନାହିଁ। ଭୀଷଣ ଗୁଳୁଗୁଳି ନାକେଦମ୍‌ କଲାଣି । ପ୍ରାୟତଃ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହେଉଛି । ଏଭଳି ସ୍ଥିତି ଆହୁରି କିଛି ଦିନ ଲାଗି ରହିବ। ଆସନ୍ତା ୭/୮ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ। ଗୁଳୁଗୁଳି ପ୍ରକୋପ ଜାରି ରହିବ । ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଏମିତି ଆକଳନ କରିଛି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି। କୌଣସି ଘୂର୍ଣ୍ଣିବଳୟ, ଲଘୁଚାପ କିମ୍ବା ଟ୍ରଫଲାଇନ୍‌ ବି ନାହିଁ। ବର୍ଷା କମିଯାଇଛି। ମୌସୁମୀ ଠିକ୍‌ ସମୟରେ ଓଡ଼ିଶା ପ୍ରବେଶ କରିଥିଲେ ମଧ୍ୟ ଏଯାବତ୍‌ ବଡ଼ ବର୍ଷା ହୋଇନାହିଁ । ଜୁନ୍‌ ପହିଲାରୁ ସୁଦ୍ଧା ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ମାତ୍ର ୮% ଅଧିକ ହୋଇଛି । ଯଦିଓ ଏହାକୁ ସ୍ୱାଭାବିକ କୁହାଯିବ, ତଥାପି ବର୍ଷାର ମୋଟ ପରିମାଣ କ୍ରମଶଃ ଖସିବାରେ ଲାଗିଛି । ୭ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିଛି।

ଉପକୂଳ ଓଡ଼ିଶାର ପୁରୀରେ ୪୧ ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ଯାଜପୁରରେ ୩୫%, କେନ୍ଦ୍ରାପଡ଼ାରେ ୩୦%, କଟକରେ ୨୯%, ଖୋର୍ଦ୍ଧାରେ ୨୯%, ବାଲେଶ୍ୱରରେ ୨୧% କମ୍‌ ବର୍ଷିଛି ମୌସୁମୀ । ସୋନପୁରରେ ମଧ୍ୟ ୨୦% କମ୍‌ ବର୍ଷା ହୋଇଛି । ଆଉ କିଛି ଦିନ ବର୍ଷା ନ ହେଲେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ବର୍ଷା ତାଲିକାରେ ଥିବା ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର ଜିଲ୍ଲା ମଧ୍ୟ ବର୍ଷା ଅଭାବ ତାଲିକାକୁ ଖସିଯିବ । ବର୍ଷା କମ୍‌ ଥିବାରୁ ଅନେକ ଅଞ୍ଚଳରେ ଚାଷୀର ଚିନ୍ତା ବଢ଼ିଛି । ଧାନ ତଳି ରୁଆ, ବେଉଷଣ କାମ ପାଇଁ ଚାଷୀର ଅପେକ୍ଷା ଆହୁରି ଲମ୍ବିପାରେ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ମୌସୁମୀ ଦୁର୍ବଳ ଅଛି। ରାଜ୍ୟରେ ବିଶେଷ ବର୍ଷା ନାହିଁ । ଆସନ୍ତା ୭/୮ ଦିନ ଯାଏଁ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁଳୁଗୁଳି ଯୋଗୁ ଭୀଷଣ ଗରମ ଅନୁଭୂତ ହେବା ସମ୍ଭାବନା ଅଛି । ଆସନ୍ତାକାଲି ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ଆଶଙ୍କା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.