ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି : ଆସନ୍ତା ୪ ଦିନ ସାରା ରାଜ୍ୟରେ ବର୍ଷା, କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି

Published By : Prameya-News7 Bureau | June 29, 2020 IST

ଭୁବନେଶ୍ୱର ୨୯।୦୬: ରାଜ୍ୟ ବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆସନ୍ତା ୪ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପରିକି କିଛି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣି ମଧ୍ୟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ । ତେଣୁ କୃଷକମାନଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ଅପରପକ୍ଷେ ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର-ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ଟ୍ରଫଲାଇନ୍‌ ଦେଖା ଦେଇଛି । ଯାହା ସମୁଦ୍ର ପତ୍ତନଠୁ ୩.୧ କିଲୋମିଟର ଉପରେ ରହିଛି । ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ । ଏହି ଜିଲ୍ଲାଗୁଡିକ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୦ ତାରିଖରେ ପ୍ରାୟ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଜୁଲାଇ ୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକର କିଛି ସ୍ଥାନରେ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବିଜୁଳି ଓ ଘଡ଼ଘଡ଼ିର ମଧ୍ୟ ସମ୍ଭାବନା ରହିଛି । ଜୁଲାଇ ୨ରେ ଓଡ଼ିଶାର ପ୍ରାୟ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। କାଁ ଭାଁ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ନୂଆପଡ଼ା ଜିଲ୍ଲାର ସିନପାଲିରେ ୧୧୩ ମିଲିମିଟର ଏବଂ ଅନୁଗୁଳ ଜିଲ୍ଲାର କଣିହାଁରେ ୭୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲା କଲମପୁରରେ ୬୩.୩ ମିଲିମିଟର, ମୟୂରଭଞ୍ଜ ଜିଲ୍ଲାର ଜାମଶୋଳା ଗେଟ୍‌ରେ ୬୨.୬ ମିଲିମିଟର, ଯଶିପୁରରେ ୬୨ ମିଲିମିଟର ଏବଂ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ୬୧ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.