ଆଜି ବି ପ୍ରବଳ ବର୍ଷିବ, ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Published By : Prameya-News7 Bureau | January 13, 2022 IST

ଭୁବନେଶ୍ୱର୧୩।୦୧ : ପୌଷ ମାସର ଅଦିନିଆ ବର୍ଷା ଚାଷୀକୁ ପୁଣି କଷଣ ଦେଇଛି । ତୁହାକୁ ତୁହା ବର୍ଷା ଓ କୁଆପଥର ମାଡ଼ ଯୋଗୁ ଧାନ ଏବଂ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଗୁରୁବାର ମଧ୍ୟ ରାଜ୍ୟରେ ଭୀଷଣ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । କିଛିଦିନ ତଳେ ଅଦିନିଆ ବର୍ଷା ଚାଷୀର ସୁନାର ଫସଲକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲା । ଲକ୍ଷାଧିକ ହେକ୍ଟର ଜମିରେ ପାଣି ଜମି ଧାନ କେଣ୍ଡା ମାଟିରେ ପଡ଼ିଥିଲା ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଅଦିନିଆ ବର୍ଷା ପୁଣି ଧାନ ଓ ପନିପରିବା ଚାଷ ଉପରେ ପାହାର ପକାଇଛି ।

ପୌଷ ମାସରେ ଧାନ ଅମଳ ସମୟ । ବିଲବାଡ଼ିରେ ପରିବା ଚାଷ ଭରପୂର । ପୌଷ ମାସରେ ଓଡ଼ିଶାରେ ସାଧାରଣତଃ ବର୍ଷା ଭୟ ନଥାଏ । ହେଲେ ଜଳବାୟୁ ପରିବର୍ତ୍ତନର କରାଳ ରୂପ ଦେଖିବାକୁ ମିଳିଛି ମଙ୍ଗଳବାର ରାତି ଓ ବୁଧବାର ସକାଳେ । ଏହି ସମୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଛି । ବଲାଙ୍ଗିରର ବଙ୍ଗୋମୁଣ୍ଡା ବ୍ଲକ୍‌ରେ ୬୫ମିଲିମିଟର ବର୍ଷା ହୋଇଛି । କନ୍ଧମାଳର ଜି.ଉଦୟଗିରିରେ ୭୨.୪ ମିଲିମିଟର ଓ ନବରଙ୍ଗପୁରର ଝରିଗାଁରେ ୬୫ମିଲିମିଟର ବର୍ଷା ହୋଇଛି । ଝାରସଗୁଡା ବ୍ଲକ୍‌ରେ ୫୪ମିଲିମିଟର ବର୍ଷା ହୋଇଛି । ନୂଆପଡ଼ା କୋମନାରେ ୫୬.୬ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ଅନୁଗୁଳ, ବରଗଡ଼, ବଲାଙ୍ଗୀର, କଟକ, ଦେବଗଡ଼, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ମଧ୍ୟମରୁ ଭାରି ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ଯୋଗୁ ବ୍ୟାପକ ପରିବା ଚାଷ ନଷ୍ଟ ହୋଇଛି । ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ୍‌ରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି । ଏଥିଯୋଗୁ ଏକର ଏକର ଜମିରେ ହୋଇଥିବା ହରଡ଼, ମୁଗ ଓ ଚଣା ଫସଲ ନଷ୍ଟ ହୋଇଛି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ପଞ୍ଚାୟତ କାର୍ଲି ଓ ମୀନାପାଇ ଗାଁରେ ପ୍ରବଳ ପବନ ସହ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଖଳାରେ ଗଚ୍ଛିତ ଥିବା ଧାନ ଭିଜି ନଷ୍ଟ ହୋଇଛି । ବୁଧବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୪୫.୬ ମିଲିମିଟର,ବଲାଙ୍ଗୀରରେ ୨୩, ସମ୍ବଲପୁରରେ ୧୯.୭ ଓ ସୋନପୁରରେ ୧୭ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧର ବିଭିନ୍ନ ମଣ୍ଡିରେ ଧାନ ଜମା ହୋଇ ରହିଥିଲା । ମିଲର୍‌ଙ୍କ ମନମାନି ଓ ପ୍ୟାକ୍ସ ଅଭାବ ଯୋଗୁଁ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ିଥିଲା । ଦୁଇ ଦିନ ଧରି ଚାଲିଥିବା ବର୍ଷାରେ ଧାନ ଭିଜିଯାଇଛି । ଏହା ଗଜା ହେବାର ଆଶଙ୍କା ଥିବାରୁ ଏହାକୁ କେମିତି ବିକ୍ରି କରିବ ସେ ଚିନ୍ତାରେ ଚାଷୀର ନିଦ ହଜିଯାଇଛି ।

ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଭାରି ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଦିନ ୧୨ଟା ପରେ ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଖୋର୍ଦ୍ଧା ସମେତ ନୟାଗଡ଼ ଓ ଗଞ୍ଜାମରେ ବର୍ଷା ଆଶଙ୍କା ରହିଛି । ଅନୁଗୁଳ, ଦେବଗଡ, କେନ୍ଦୁଝରରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ୧୪ ତାରିଖରେ ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।

ଗୁରୁବାର ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.