ରାଜ୍ୟରେ ସକ୍ରିୟ ମୌସୁମୀ : ଆଜିଠୁ ବର୍ଷାର ପରିମାଣ ବଢ଼ିବ

Published By : Prameya-News7 Bureau | June 19, 2020 IST

ଭୁବନେଶ୍ୱର ୧୯।୦୬: ଆଜିଠୁ ରାଜ୍ୟରେ ବର୍ଷା ବଢ଼ିବ । ଆସନ୍ତା ୩ ରୁ ୪ଦିନ ରାଜ୍ୟରେ ବର୍ଷା ଅଧିକ ରହିବ । ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷିବ । ବେଶି ବର୍ଷା ହେବ ୨୦ ଓ ୨୧ ତାରିଖରେ । ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ କମ୍‌ ରହିବ ।

ପାଣିପାଗ ବିଭାଗ କହିଛି, ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ପ୍ରଭାବରେ ମୌସୁମୀ ଏବେ ସକ୍ରିୟ ରହିବ। ତେଣୁ ଆଜିଠୁ ବର୍ଷା ପରିମାଣ ବଢ଼ିବ । ଶନିବାର ରାଜ୍ୟର ଅନେକ ଜାଗାରେ ବର୍ଷା ହୋଇପାରେ । ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୦ ତାରିଖରେ ବର୍ଷା ପରିମାଣ ଆହୁରି ବଢ଼ିବ । ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।

୨୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଉପକୂଳ ଓଡ଼ିଶାର କେତେକ ଜାଗାରେ ବର୍ଷା ହୋଇପାରେ । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହାସହ ନୂଆପଡ଼ା, ବଲାଙ୍ଗିର, ସୁନ୍ଦରଗଡ଼, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୨ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମିବ । ତଥାପି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ହୋଇପାରେ । ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୩ରୁ ବର୍ଷା ଆହୁରି କମିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.