ବାତ୍ୟା ଜୱାଦ୍ ପ୍ରଭାବ : ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ, ୭ରୁ ପାଗ ଶୁଖିଲା

Published By : Prameya-News7 Bureau | December 05, 2021 IST

ଭୁବନେଶ୍ୱର ୦୫।୧୨ : ବାତ୍ୟା ଜୱାଦ ଦୁର୍ବଳ ହେବାରେ ଲାଗିଛି । ଏହା କ୍ରମଶଃ ଆହୁରି ଦୁର୍ବଳ ହେବ । ଆଜି ଅପରାହ୍ନ ସୁଦ୍ଧା ପୁରୀ ଉପକୂଳ ଦେଇ ଉତ୍ତର- ଉତର ପୁର୍ବ ଦିଗକୁ ଗତି କରିବ । ମୋଟା ମୋଟି ଭାବେ ପଶ୍ଚିମ ବଙ୍ଗ ଏବଂ ବାଂଲାଦେଶ ଆଡ଼କୁ ଯିବ।  କିନ୍ତୁ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳ ଜିଲ୍ଲା ମାନଙ୍କରେ ବର୍ଷା ଲାଗି ରହିଛି ।

ତେବେ ଯଦିଓ ଏହାର ବଡ  ପ୍ରଭାବ ରାଜ୍ୟ ଉପରେ ନାହିଁ ତଥାପି ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ । ପବନର ବେଗ ସର୍ବାଧିକ ୬୦ କିମି ଯାଏ ପହଞ୍ଚିବ । ସାଧାରଣତଃ ୪୦-୫୦ କିମି ରହିବ ।  ଆଇଏମଡି ପକ୍ଷରୁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବରକୁ ଅରେଞ୍ଜ ୱାର୍ଣିଂ ଦିଆଯାଇଛି । ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ କୁ ୟେଲୋ ୱାର୍ଣିଂ ଦେଇଛି ପାଣିପାଗ ବିଭାଗ ।

ସେହିପରି ଗତକାଲି ଗଭୀର ଅବପାତ ଥିବା ବେଳେ ଆଜି ଅବପାତରେ ପରିଣତ ହୋଇସାରିଛି । ଏହାପରେ ପୁଣି ଲୋ ପ୍ରେସର୍ ଏରିଆରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗୋପାଳପୁରରେ ୬୪ ମିମି, ପାରାଦୀପରେ ୪୪.୩, ଭୁବନେଶ୍ୱରରେ ୨୩.୪, ପୁରୀରେ ୨୦ ମିମି ବର୍ଷା ରେକର୍ଡ କରାଯାଇଛି । ୭ ତାରିଖ ଠାରୁ ପାଗ ଶୁଖିଲା ରହିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି । ଟ୍ରାଫିକ ସମସ୍ୟା, ପାଣି ଜାଣିବା ର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରର ବୈଜ୍ଞାନିକ ଉମାଶଙ୍କର ଦାସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.