ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ : ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | October 23, 2020 IST

ଭୁବନେଶ୍ୱର,୨୩/୧୦: ଯେତିକି ଆଶା କରାଯାଉଥିଲା, ସେଭଳି ଲଗାଣ ବର୍ଷା ହେଲାନି । ଲଘୁଚାପ ଯଦିଓ ଅବପାତ ରୂପ ନେବା ପରେ ଭୀଷଣ ଅବପାତରେ ପରିଣତ ହେବାକୁ ବସିଛି, ତଥାପି ଓଡ଼ିଶାରେ ବର୍ଷା ପରିମାଣ ଅପେକ୍ଷାକୃତ କମ୍‌ ରହିଛି । ପାଣିପାଗ ପୂର୍ବାନୁମାନ କହୁଛି, ଏହି ଭୀଷଣ ଅବପାତ ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଉପକୂଳ ଛୁଇଁବ । ଓଡ଼ିଶାରେ ଆଜିଠାରୁ ବର୍ଷା ପରିମାଣ କମିବ । ତଥାପି ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ଲଗାଣ ବର୍ଷା ସମ୍ଭାବନାକୁ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏହା ଘନ ଅବପାତ ରୂପ ନେବାକୁ ଯାଉଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । କିଛି ଜାଗାରେ ପାଣି ଜମିପାରେ । କିନ୍ତୁ, ବନ୍ୟା ସ୍ଥିତି ଉପୁଜିବା ଭଳି ଲାଗୁନାହିଁ । ତଥାପି ସମସ୍ତ ଜିଲ୍ଲା ପ୍ରଶାସନ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ଜଳସମ୍ପଦ ବିଭାଗ ମଧ୍ୟ ସଜାଗ ଅଛି।

ପାଣିପାଗ ବିଭାଗ କହିଛି, ଗୁରୁବାର ଦିନ ଅବପାତ (ଡିପ୍ରେସନ୍‌)ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିଲା । ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୮୦ କିମି ଦୂରରେ ରହିଥିଲା । ଶୁକ୍ରବାର ସକାଳ ସୁଦ୍ଧା ଏହା ଘନ ଅବପାତ (ଡିପ୍‌ ଡିପ୍ରେସନ୍‌) ରୂପ ନେବ । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଶୁକ୍ରବାର ଅପରାହ୍ନ ସୁଦ୍ଧା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସ୍ଥଳଭାଗରେ ପଶିବ।

ଗୁରୁବାର ସନ୍ଧ୍ୟାବେଳେ ଏହା ପୁରୀ-ପାରାଦୀପଠାରୁ ବେଶ୍‌ ଦୂରରେ ଗତି କରୁଥିଲା। ଶୁକ୍ରବାର ସକାଳ ସାଢ଼େ ୫ଟାବେଳେ ବାଲେଶ୍ୱରଠାରୁ ପ୍ରାୟ ୧୨୦ କିମି ଦୂରରେ ଥିବ। ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ଯିବାବେଳେ ଏହା ବାଲେଶ୍ୱର ସୀମାନ୍ତ ମୟୂରଭଞ୍ଜର ନିକଟତର ହୋଇ ଯିବା ସମ୍ଭାବନା ଅଛି । ଏହା ଦକ୍ଷିଣ-ପୂର୍ବକୁ ଢଳି ରହୁଥିବାରୁ ଓଡ଼ିଶାରେ ବେଶି ବର୍ଷା ହୋଇନପାରେ।

ଅନୁମାନ କରାଯାଉଛି, ଗୁରୁବାର ରାତି ଭିତରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁରରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବାକି ଅଞ୍ଚଳରେ ବର୍ଷା କମିପାରେ ।

ଶନିବାରଠାରୁ ବର୍ଷା ପରିମାଣ ଆହୁରି କମିବ । ତଥାପି ପ୍ରତିଦିନ ଗୋଟିଏ ଦୁଇଟି ଜାଗାରେ ବର୍ଷା ହୋଇପାରେ ।
ଶୁକ୍ରବାର ସମୁଦ୍ର ଅଶାନ୍ତ ରହିବ । ଓଡ଼ିଶା ଉପକୂଳରେ ୪୫-୬୫ କିମି ବେଗରେ ପବନ ବହିପାରେ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.