୧୦ରେ ଲଘୁଚାପ ! ଫିକା ପଡିବ ପାର୍ବଣ, ବର୍ଷାରେ ଭିଜିବ ଦଶହରା

Published By : Prameya-News7 Bureau | October 06, 2021 IST

ଭୁବନେଶ୍ୱର,୦୬/୧୦: ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ହେବ । ଅକ୍ଟୋବର ତୃତୀୟ ସପ୍ତାହରେ ବି ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟରେ ଅଧିକ ପବନର ସମ୍ଭାବନା ବି ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି ।

ଡ. ପଶୁପାଳକ ପ୍ରାଥମିକ ଆକଳନ ଲଗାଇ କହିଛନ୍ତି, ଆସନ୍ତା ୨୪ ଘଣ୍ଟା ଭିତରେ ଫିଲିଫାଇନସ୍‌ର ପଶ୍ଚିମରେ ଗଭୀର ଅବପାତ ଏକ ବାତ୍ୟା ରୂପ ନେବ । ଏହା ଦକ୍ଷିଣ ଚୀନ୍‌ ସାଗର ଅତିକ୍ରମ କରି ଭିଏତନାମ ଉପକୂଳରେ ସ୍ୱଳ୍ପ ବର୍ଷା କରିବ । ଏହାର ଅବଶିଷ୍ଟ ଅଂଶ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଯିବ । ପୁଣି ଏହା ଅଧିକ ଘନୀଭତ ହୋଇ ପଶ୍ଚିମ ଦିଗରେ ଯିବ ଓ ଆନ୍ଧ୍ର ଉପକୂଳକୁ ମୁହାଁଇବ ।

wp:html /wp:html

ବିଭିନ୍ନ ପାଣିପାଗ ମଡେଲକୁ ବିଶ୍ଲେଷଣ କରି ସେ କହିଛନ୍ତି, ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ଗଭୀର ଅବପାତରେ ପରିଣତ ହୋଇପାରେ । ପରେ ଏହା କେନ୍ଦ୍ରୀୟ ଆନ୍ଧ୍ର ଉପକୂଳକୁ ମୁହାଁଇବ ଓ ୧୭ ତାରିଖ ବେଳକୁ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ଓଡ଼ିଶାରେ ବି ଏହାର ପ୍ରଭାବ ଅନୁଭୂତ ହେବ । ୧୫, ୧୬ ଓ ୧୭ ତାରିଖରେ ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।

ସାଧାରଣତଃ ଅକ୍ଟୋବର ମାସରେ ଅଧିକ ବାତ୍ୟା ହୁଏ । ପୁଣି କେନ୍ଦ୍ରୀୟ ବଙ୍ଗୋପସାଗର ଓ ବାୟୁମଣ୍ଡଳର ପରିସ୍ଥିତି ଆନ୍ଧ୍ରରେ ସୃଷ୍ଟ ଅବପାତକୁ ଅଧିକ ଘନୀଭୂତ କରିବା ପାଇଁ ପାଗ ଅନୁକୂଳ ରହୁଛି । ତେବେ ଯଦି ଏହା ସମୁଦ୍ରରେ ୫ ଦିନରୁ ଅଧିକ ରହିବ ଏହା ବଳଶାଳୀ ହୋଇ ବାତ୍ୟା ରୂପ ନେବ । କିନ୍ତୁ ଏହା ଗୁଲାବ ପରି ଅପେକ୍ଷାକୃତ ଛୋଟ ବାତ୍ୟା ହେବ ବୋଲି ପ୍ରାଥମିକ ଆକଳନ କହୁଛି । ଆନ୍ଧ୍ରପ୍ରଦେଶର କାକିନାଡା ଓ ମଛଲିପାଟଣା ଭିତରେ ଏହି ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଆସନ୍ତା ୧୦ ତାରିଖ ବେଳକୁ ସ୍ଥିତି ଆହରି ସ୍ପଷ୍ଟ ହେବ ଓ ବାତ୍ୟାର ପ୍ରଭାବ କେତେ ରହିବ ତାହା ଅଧିକ ଜାଣିହେବ ବୋଲି ସେ କହିଛନ୍ତି ।

ସେପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୧୦ରୁ ୧୨ ତାରିଖ ଓଡ଼ିଶାରେ ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଭାଗର ରେକର୍ଡ ଅନୁସାରେ କେନ୍ଦୁଝରରେ ଆଜି ୧୬ ମିଲିମିଟର ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.