ଦିଲ୍ଲୀରେ ୪୯ ଡିଗ୍ରୀ ଟପିଲା ତାପମାତ୍ରା; ଜାଣନ୍ତୁ ଭାରତୀୟ ପାଣିପାଗ ବିଭାଗର ଆକଳନ, କେବେ ହେବ ବର୍ଷା ?

Published By : Prameya-News7 Bureau | May 15, 2022 IST

ନୂଆଦିଲ୍ଲୀ ୧୫/୦୫ : ରାଜଧାନୀ ଦିଲ୍ଲୀ ସହିତ ଭାରତର ଅନେକ ସ୍ଥାନରେ ଆସନ୍ତା ଦୁଇଦିନ ଭୀଷଣ ଗରମ ଅନୁଭୂତ ହେବ। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ଦୁଇ ଦିନ ଭାରତର ଉତ୍ତର ପଶ୍ଚିମ ଭାଗ ଓ ମଧ୍ୟ ଭାଗରେ ଲୁ ସ୍ଥିତି ଜାରି ରହିବ। ତେବେ ଦିଲ୍ଲୀରେ ରବିବାର ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ପାର୍‌ କରିଛି। ଆଇଏମଡିର ପାଣିପାଗ ବୁଲେଟିନ ଅନୁଯାୟୀ, ଆସନ୍ତା ଦୁଇଦିନ ଭାରତର ଉତ୍ତର ପଶ୍ଚିମ ଓ ମଧ୍ୟ ଭାଗରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।

ପାଣିପାଗ ବିଭାଗ ଅନୁଯାୟୀ, ଗରମ ଓ ଝାଞ୍ଜି ପବନ ପାଇଁ ଦିଲ୍ଲୀରେ ରବିବାର ଲୁ ପ୍ରଭାବ ଅଧିକ ଦେଖା ଦେଇଛି। ଅପରପକ୍ଷେ ଦୁଇଦିନରେ ମହାରାଷ୍ଟ୍ରର ଦକ୍ଷିଣ ଭାଗରେ ବିଭିନ୍ନ ଅଞ୍ଚଳରେ ଅଧିକ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ବଢ଼ିପାରେ । ମେ ୧୫ରେ ରାଜସ୍ଥାନର ପୂର୍ବ ଓ ପଶ୍ଚିମ ଭାଗର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ଗରମ ଅନୁଭୂତ ହେବ ବୋଲି କୁହାଯାଇଛି। ସେହିପରି ମେ ୧୭ରେ ମଧ୍ୟପ୍ରଦେଶ କିଛି ଅଞ୍ଚଳରେ ଏହିପରି ପାଣିପାଗ ରହିବ ବୋଲି କୁହାଯାଇଛି। ପଞ୍ଜାବ, ହରିଆଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଲୁର ପ୍ରଭାବ ଦେଖିବାକୁ ମିଳିଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

ଆଇଏମଡିର ସୂଚନା ମୁତାବକ ମେ ୧୬ ଏବଂ ୧୭ରେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଘଡ଼ଘଡ଼ି ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ପବନ ସହିତ କୁଆ ପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ମେ ୧୬ -୧୭ରେ ଉତ୍ତର ପଞ୍ଜାବ ଓ ପୂର୍ବ ଉତ୍ତର ପ୍ରଦେଶର ଘଡ଼ଘଡ଼ି ସହିତ ଅଳ୍ପ ବର୍ଷା ହେବାର ଅନୁମାନ କରାଯାଇଛି । ମେ ୧୬ରେ ହରିଆଣା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.