Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ

28/01/2021 at 8:01 AM

ଭୁବନେଶ୍ୱର,୨୮/୦୧: ଧିରେଧିରେ ବଦଳିବ ପାଗ । ଗୁରୁବାର ଓ ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ଶୀତ ବଢିବ । ଅନେକ ଅଞ୍ଚଳରେ ଶୀତ ପ୍ରକୋପ ପୁଣି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

ସୋଆ ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ଏକ ଟ୍ରଫଲାଇନ୍‌ ଲମ୍ବିଛି । ଏହାବ୍ୟତୀତ ବଙ୍ଗୋପସାଗର ଉପରେ ଗୁରୁଚାପ ଥିବାରୁ ରାଜ୍ୟକୁ ଜଳୀୟବାଷ୍ପ ଆସୁଛି । ଏହା ପ୍ରଭାବରେ ଗୁରୁବାର ରାତି ଓ ଶୁକ୍ରବାର ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ଛାଡ଼ିବା ପରେ ରାଜ୍ୟରେ ରାତି ତାପମାତ୍ରା ପୁଣି କମିଯିବ । ଏହାପରେ ଶୀତ ପ୍ରକୋପ ବଢ଼ିବ । ଆହୁରି ମଧ୍ୟ ଆସନ୍ତା ୫ ତାରିଖବେଳକୁ ଆଉ ଏକ ଟ୍ରଫଲାଇନ ସମ୍ଭାବନା ଅଛି । ଏହା ପ୍ରଭାବରେ ବର୍ଷା ହୋଇପାରେ । ଯଦି ଏମିତି ହେବ, ତେବେ ସମ୍ଭାବ୍ୟ ବର୍ଷା ପରେ ପୁଣି ସାମୟିକ ଭାବେ ଶୀତ ବଢ଼ିବ ବୋଲି ସେ କହିଛନ୍ତି ।

ସେହିପରି ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଏବେ ଶୀତ ପ୍ରକୋପ କମିଛି । ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି ।  ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ ।

ଏତତ୍ ବ୍ୟତୀତ ଶୁକ୍ରବାର ରାତି ଓ ଶନିବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳରେ ଘନ କୁହୁଡ଼ି ଆଶଙ୍କା ରହିଛି। ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ରହିବ । ଆସନ୍ତା ୩ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତା’ପରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ କମିବ । ବାକି ଅଞ୍ଚଳରେ ୨ରୁ ୩ ଡିଗ୍ରୀ କମିବା ସହ ଶୀତ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

   Related Posts