ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବଢୁଛି ଶୀତ, ଆଜି ୮ ଜିଲ୍ଲାରେ ବର୍ଷା ଆଶଙ୍କା

Published By : Prameya-News7 Bureau | November 26, 2020 IST

ଭୁବନେଶ୍ୱର,୨୬|୧୧: ବାତ୍ୟା ନିଭାର ଅତି ଭୟଙ୍କର ରୂପ ନେଇ ତାମିଲନାଡ଼ୁ ଓ ପୁଡୁଚେରିରେ ବ୍ୟାପକ କ୍ଷୟକ୍ଷତି କରିଛି। ଏହାର ପ୍ରଭାବରେ ବୁଧବାରଠାରୁ ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା, ପବନ ଆରମ୍ଭ ହୋଇଯାଇଛି। ସେହିପରି ବିଳମ୍ବିତ ରାତିରେ ବର୍ଷା ସାଙ୍ଗକୁ ପବନ ପ୍ରକୋପ ବଢ଼ି ଚାଲିଛି । ଅନେକ ଅଞ୍ଚଳରେ ବିଜୁଳି ଖୁଣ୍ଟ, ଗଛ ଉପୁଡ଼ିଥିବାବେଳେ କଚ୍ଚା ଘର ମାଟିରେ ମିଶିଯାଇଥିବା ଜଣାପଡିଛି ।

ନିଭାର ପ୍ରକୋପରେ ଓଡ଼ିଶାରେ ବୁଧବାର ପାଗ ମେଘୁଆ ରହିଥିଲା। ତେବେ ଦିନ ଭିତରେ କୌଣସି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ ହୋଇନାହିଁ । ଦିନର ତାପମାତ୍ରା ଅସ୍ୱାଭାବିକ ଭାବେ କମିଯାଇଛି । ପ୍ରାୟତଃ ସର୍ବୋଚ୍ଚ ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି । ଦିନବେଳା ଥଣ୍ଡା ପବନ ଯୋଗୁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଛି ।

ଅନୁମାନ କରାଯାଉଛି, ଗୁରୁବାର ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିର ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । କିନ୍ତୁ ଶୁକ୍ରବାର (୨୭ ତାରିଖ) ବିଶେଷ ବର୍ଷା ସମ୍ଭାବନା ନାହିଁ । ତଥାପି ଗଜପତି ଓ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ସାମାନ୍ୟ ବର୍ଷା ହୋଇପାରେ ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ୧୩ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍‌ ଭିତରେ ଥିଲା । ଅନ୍ୟପକ୍ଷରେ ବୁଧବାର ଦିନରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ୪-୫ ଡିଗ୍ରୀ କମ୍‌ ଥିଲା । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଦିନରେ ତାପମାତ୍ରା ୨୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଏଥିରୁ ଅନୁମାନ କରାଯାଇପାରେ ଦିନବେଳା କିଭଳି ଶୀତ ଅନୁଭୂତ ହେଉଛି । ବର୍ତ୍ତମାନ ଦୁଇଦିନ ରାତି ତାପମାତ୍ରା ସାମାନ୍ୟ ବଢ଼ିବ । ୨୮ରୁ ପୁଣି ରାତି ତାପମାତ୍ରା ୨-୩ ଡିଗ୍ରୀ ଖସିବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.