କମିଲା ତାତି, ୬ରୁ ପୁଣି ବଢିବ : ୪୨ ଡିଗ୍ରୀ ଛୁଇଁବ ପାରଦ !

Published By : Prameya-News7 Bureau | March 03, 2021 IST

ଭୁବନେଶ୍ୱର,୦୩/ ୦୩: ତାତିରୁ କିଛିଟା ଆଶ୍ୱସ୍ତି ମିଳିଛି । ହାଲୁକା ଗରମ କମିଛି ।  ଅଧିକାଂଶ ସ୍ଥାନରେ ପାରଦ ସାମାନ୍ୟ କମିଛି । ବିଶେଷ କରି ଉତ୍ତପ୍ତ ପିଣ୍ଡ ପାଲଟିଯାଇଥିବା ଭୁବନେଶ୍ୱର ୪ ଦିନ ପରେ ୪୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଛି । ଆସନ୍ତା ୩/୪ ଦିନ ଏମିତି ରହିବ । ୬ରୁ ତାତି ଆହୁରି ବଢ଼ିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ମଙ୍ଗଳବାର ଭୁବନେଶ୍ୱର ପାରଦ ୩୮.୬ ଡିଗ୍ରୀକୁ ଖସି ଆସିଛି । ଏହାସହ କଟକ ତାପମାତ୍ରା ମଧ୍ୟ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟ ସହର ଭିତରେ ଅନୁଗୁଳ ୩୮.୭, ସୁନ୍ଦରଗଡ଼ ୩୮, ତାଳଚେର ୩୮.୧, ବଲାଙ୍ଗିର ୩୮, ଟିଟିଲାଗଡ଼ ୩୮, ମାଲକାନଗିରି ୩୮, ନୟାଗଡ଼ ୩୮ ଡିଗ୍ରୀ ସେଲସିୟସ୍‌ ରହିଛି । ୯ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା ଓ ବୌଦ୍ଧ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ସାମୁଦ୍ରିକ ପବନ ଯୋଗୁ ତାପମାତ୍ରା ସାମାନ୍ୟ କମିଛି । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବଢ଼ି ୩୯ ଡିଗ୍ରୀ ଛୁଇଁପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ତାରିଖ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବ କିମ୍ବା ଧୀରେଧୀରେ ବଢ଼ିବ । ୪ ତାରିଖରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ବଢ଼ିବ । ବର୍ତ୍ତମାନ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ଅସ୍ଥିର ରହିବ । କେବେ ସାମାନ୍ୟ ବଢ଼ିବ, କେବେ କମିଯିବ । ୬ରେ ସାରା ରାଜ୍ୟରେ ତାପମାତ୍ରା ବଢ଼ିବା ସମ୍ଭାବନା ଅଛି ।

୭ ଓ ୮ ତାରିଖରେ ରାଜ୍ୟର ଅନେକ ଜାଗାରେ ତାପମାତ୍ରା ଅଧିକ ଥିବ । ବିଶେଷକରି କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପାରଦ ୪୧ କିମ୍ବା ୪୨ ଛୁଇଁପାରେ । ପାଣିପାଗ ବିଭାଗ କହିଛି, ଆସନ୍ତା ୩/୪ ଦିନ ତାପମାତ୍ରା ବିଶେଷ ବଦଳିବ ନାହିଁ । ତା’ପରବର୍ତ୍ତୀ ୪-୫ ଦିନ ତାପମାତ୍ରା ଅଧିକ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.