ରାଜ୍ୟରେ ୨ ଦିନ କାଳବୈଶାଖୀ ଆଶଙ୍କା, ସୋମବାରଠୁ ପୁଣି ବଢିବ ତାତି

Published By : Prameya-News7 Bureau | March 12, 2021 IST

ଭୁବନେଶ୍ୱର,୧୨/୦୩: ରାଜ୍ୟରେ ଏବେ ଶୀତ ଲହରୀ ନାହିଁ ।  ଆସନ୍ତା ଦୁଇଦିନ ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି । ୧୫ ତାରିଖରୁ ପୁଣି ତାତି ବଢିବ ବୋଲି ପାଣିପାଗବିତମାନେ ଅନୁମାନ କରିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶୁକ୍ରବାର ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ ଓ ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୧୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତି, ଗଞ୍ଜାମରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବଜ୍ରପାତ ଆଶଙ୍କା ବି ରହିଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏଇ ସପ୍ତାହରେ ଓଡ଼ିଶା ସମେତ ଉତ୍ତର ଭାରତରେ ତାପମାତ୍ରା କମିଛି । ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ଆସନ୍ତା ୧୫ରୁ ପୁଣି ତାପମାତ୍ରା ବଢ଼ିବା ସମ୍ଭାବନା ଅଛି । ଅନୁମାନ କରାଯାଉଛି, ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୧୪ ତାରିଖ ପର୍ଯ୍ୟନ୍ତ ବଢ଼ିବ ନାହିଁ । ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବଢ଼ିବ । ତେବେ ୧୫ ତାରିଖରୁ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ । ଭୁବନେଶ୍ୱରର ତାପମାତ୍ରା ୧୬ ତାରିଖ ସୁଦ୍ଧା ପୁଣି ୪୦ ଡିଗ୍ରୀ ପାଖାପାଖ ପହଞ୍ଚିଯାଇପାରେ ।

ଏବେ କାଳବୈଶାଖୀ ଯୋଗୁ ରାଜ୍ୟରେ ପାଗ ଭଲ ରହିଛି । ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଦୁଇଟି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ୧୩ ତାରିଖରେ ବର୍ଷା ସମ୍ଭାବନା ଅଛି । ୧୫ରୁ ତାତି ବଢ଼ିବାକୁ ଥିବାବେଳେ ୧୮ ତାରିଖରୁ କାଳବୈଶାଖୀ ସମ୍ଭାବନା ବଢ଼ିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.