୨୧ରେ ଲଘୁଚାପ, ୨୪ ଯାଏଁ ପ୍ରବଳ ଛେଚିବ

Published By : Prameya-News7 Bureau | July 17, 2021 IST

ଭୁବନେଶ୍ୱର, ୧୭|୦୭ :  ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହେବ । ୨୧ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହିତ ୨୩ରୁ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୨୦ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ । ନିଅଁଟିଆ ବର୍ଷା ହେବା ସହିତ ଟାଣ ଖରା ହେବ । ତେବେ ୨୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ୨୨ ତାରିଖରେ ଏହା ଲଘୁଚାପରେ ପରିଣତ ହେବ । ଓଡ଼ିଶା ଉପକୂଳରୁ ଦୂରରେ ସମୁଦ୍ରରେ ରହିବା ହେତୁ ଉପକୂଳ ସମେତ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ। ତେବେ ୨୩ ତାରିଖ ଲଘୁଚାପଟି ଓଡ଼ିଶା ଉପକୂଳ ସ୍ପର୍ଶ କରିବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଫଳରେ ରାଜ୍ୟର ସମସ୍ତ ଜିଲ୍ଲାରେ ଭାରୀ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୨୩ ଓ ୨୪ରେ ଭାରୀ ବର୍ଷା ହେବ । ଉପକୂଳ, କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ୨୧ରୁ ୨୪ ମଧ୍ୟରେ ଶହେ ମିଲିମିଟର, ଆଭ୍ୟନ୍ତରୀଣ ଦକ୍ଷିଣରେ ୧୩୦ ମିଲିମିଟର ଓ ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ସୀମାନ୍ତ ଅଞ୍ଚଳରେ ସ୍ଥାନେ ସ୍ଥାନେ ୧୮୦ ମିଲିମିଟର ହୋଇପାରେ । ମହାନଦୀ ଉପରମୁଣ୍ଡ ଛତିଶଗଡ଼ ସହିତ ରାଜ୍ୟ ଭିତରର ସମସ୍ତ ନଦୀ ଅବବାହିକାରେ ପ୍ରବଳ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ସେହିପରି ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟର ବିଭିନ୍ନ ମଡେଲର ସମାହାରରୁ ଜଣାପଡୁଛି ଯେ, ରାଜ୍ୟରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ । କିନ୍ତୁ ତାପମାତ୍ରା ଅଧିକ ରହିବ । ଚଳିତ ମାସର ଶେଷ ସପ୍ତାହରେ ଋୁଆ ବେଉଷା କାମ ଜୋରସୋରରେ ଚାଲିବା ହେତୁ ଚାଷୀ ପାଖରେ ପର୍ଯ୍ୟାପ୍ତ ସାର ଉପଲବ୍ଧ ହେବା ଦରକାର । ତା’ ସହିତ ମଧ୍ୟମ ଅବଧି ଧାନ ବିହନ, ମୁଗ, ବିରି, ମାଣ୍ଡିଆ, ରାଶିର ଅଧିକ ଅମଳକ୍ଷମ ବିହନ ମଧ୍ୟ ଆବଶ୍ୟକ ପଡିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଅପରପକ୍ଷେ, ଶନିବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ କାଁ ଭାଁ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.