Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍
  • ||
  • ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ
  • ||
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଶାନ୍ତ ପଡିଯାଇଛି ମୌସୁମୀ : ୧୧ ଜିଲ୍ଲା ଶୁଖିଲା, ୧୮ରୁ ୨୧ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

17/07/2020 at 9:10 AM

ଭୁବନେଶ୍ୱର ୧୭|୦୭: ମୌସୁମୀ ମାନ୍ଦା। ବର୍ଷା ନାହିଁ । ଶ୍ରାବଣରେ ମୂଷଳ ଧାରାରେ ବର୍ଷା ଢାଳିବା କଥା । କିନ୍ତୁ, ଜୁଲାଇ ପ୍ରଥମ ସପ୍ତାହରେ ୧୬ ଜିଲ୍ଲାରେ ବର୍ଷା ଅଭାବ ଥିବାବେଳେ ଦ୍ୱିତୀୟ ସପ୍ତାହରେ ୧୧ ଜିଲ୍ଲା ଶୁଖିଲା ପଡ଼ିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷା ନିଅଣ୍ଟ ରହିଛି ।ଆଶା ଦେଖାଇଛି ପାଣିପାଗର ପୂର୍ବାନୁମାନ । ଦୁଇ ସପ୍ତାହ ଧରି ବର୍ଷା କମ୍‌ ଥିବାବେଳେ ଚଳିତ ସପ୍ତାହରେ ଭଲ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ପାଣିପାଗ ବିଭାଗର ତଥ୍ୟ କହୁଛି, ଜୁଲାଇ ୯ରୁ ୧୫ ତାରିଖ ଭିତରେ ରାଜ୍ୟରେ ମୋଟ ହାରାହାରି ବର୍ଷା ପରିମାଣ ରହିଛି ମାତ୍ର ୬୬.୫ ମିଲିମିଟର । ଯାହାକି ସ୍ୱାଭାବିକଠାରୁ ୬% କମ୍‌ । ଏହି ସମୟ ଭିତରେ ରାଜ୍ୟର ୧୧ ଜିଲ୍ଲାରେ ବର୍ଷା ଅଭାବ ରହିଛି। ଯାହାକି ଚାଷୀର ଚିନ୍ତା ବଢ଼ାଇ ଦେଇଛି । ଆଗେଇ ପାରୁନି ଚାଷ କାମ।

ସବୁଠୁ ଚିନ୍ତାଜନକ ସ୍ଥିତି ପୁରୀରେ । ଏଠାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ ୫୩% କମ୍‌ ରହିଛି । ସୁନ୍ଦରଗଡ଼ରେ ବି ୪୬% କମ୍‌ ବର୍ଷା ହୋଇଛି ଦ୍ୱିତୀୟ ସପ୍ତାହରେ । ଗଜପତିରେ ୩୭%, କଟକରେ ୪୨%, ଢେଙ୍କାନାଳରେ ୩୩%, ଯାଜପୁରରେ ୩୮%, ଭଦ୍ରକରେ ୩୨%, ବାଲେଶ୍ୱରରେ ୩୮%, ମୟୂରଭଞ୍ଜରେ ୨୪%, କେନ୍ଦୁଝରରେ ୨୧% କମ୍‌ ବର୍ଷା ହୋଇଛି ।

ପୂର୍ବରୁ ଜୁଲାଇ ପ୍ରଥମ ସପ୍ତାହରେ ବି ୧୬ ଜିଲ୍ଲାରେ ବର୍ଷା କମ୍‌ ରହିଥିଲା । ଜୁନ୍‌ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପରିମାଣ ଆଶାଜନକ ରହିନି । ଯଦିଓ ସମୁଦାୟ ବର୍ଷା ପରିମାଣ ସ୍ୱାଭାବିକଠାରୁ ୩% ଅଧିକ ଅଛି, ତଥାପି କ୍ରମଶଃ ଏହି ପରିସଂଖ୍ୟାନ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି । ତଥାପି ଅନେକ ଅଞ୍ଚଳରେ ବର୍ଷା ହୋଇନି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୧୮ ତାରିଖ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୧୯ରୁ ୨୧ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସପ୍ତାହକରେ ହାରାହାରି ୧୨୦ ମିଲିମିଟର ବର୍ଷା ହୋଇପାରେ । ମୋଟ ଉପରେ ଚଳିତ ସପ୍ତାହରେ ଉପକୂଳରେ ସ୍ୱାଭାବିକ ତୁଳନାରେ ୩୦% ଅଧିକ ବର୍ଷା ସମ୍ଭାବନା ଅଛି।

ସେହିପରି ଉତ୍ତର ଓଡ଼ିଶାରେ ୧୮ରୁ ୨୧ ତାରିଖ ଭିତରେ ମଧ୍ୟମରୁ ଭାରି ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲିରୁ ୧୯ ତାରିଖ ସୁଦ୍ଧା ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି । ୨୦ରୁ ୨୨ ତାରିଖ ମଧ୍ୟରେ କେତେକ ଜାଗାରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ ।

୨୦ ଓ ୨୧ ତାରିଖରେ ଦକ୍ଷିଣାଞ୍ଚଳ ବ୍ୟତୀତ ବାକି ସବୁଠି ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ରାଜ୍ୟର ପ୍ରମୁଖ ନଦୀର ଉପରମୁଣ୍ଡ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇପାରେ। ମାତ୍ର ୨୩ରୁ ବର୍ଷା କମିଯିବ।
ଡକ୍ଟର ପଶୁପାଳକ କହିଛନ୍ତି, ୨୩ ତାରିଖ ପରେ ବର୍ଷା କମିଯିବ । ଚଳିତ ମାସ ଶେଷ ପର୍ଯ୍ୟନ୍ତ ଆଉ ବିଶେଷ ବର୍ଷା ହେବନି। ତେଣୁ ବର୍ତ୍ତମାନ ୨୧ ତାରିଖ ଭିତରେ ଯେତିକି ବର୍ଷା ହେବ, ସେଥିରେ ଚାଷ କାମ ଆଗେଇବାକୁ ପଡ଼ିବ ।

   Related Posts