ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ଏହାର ପ୍ରଭାବରେ ମୌସୁମୀର ଗତି ବଢିବ, ୯ରୁ ଆରମ୍ଭ ହୋଇଯିବ ବର୍ଷା

Published By : Prameya-News7 Bureau | June 02, 2020 IST

ଭୁବନେଶ୍ୱର, ୦୨|୦୬: ଉତରପଶ୍ଚିମ ଏବଂ ଏହାର ସଂଲଗ୍ନ ବଙ୍ଗୋପସାଗରରେ ଜୁନ୍ ୮ ତାରିଖରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଲଘୁଚାପ କାରଣରୁ ଓଡ଼ିଶାରେ ଜୁନ୍ ୯ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଥିବା ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ।

ଲଘୁଚାପ ସୃଷ୍ଟି ହେବା ଯୋଗୁଁ ଏହା ଦକ୍ଷିଣପଶ୍ଚିମ ମୌସୁମୀକୁ ପୂର୍ବ ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରିପାରେ ବୋଲି କହିଛନ୍ତି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ।

ଡ. ଶରତ ଚନ୍ଦ୍ର ସାହୁ  କହିଛନ୍ତି ଯେ, ଦକ୍ଷିଣପୂର୍ବ ଏବଂ ଏହାର ସଂଲଗ୍ନ ପୂର୍ବ ମଧ୍ୟମ ଆରବସାଗରରେ ଲଘୁଚାପ ଘନୀଭୂତ ହୋଇଥିବା ବେଳେ ମଙ୍ଗଳବାର ସକାଳ ସାଢ଼େ ୮ ଟା ସୁଦ୍ଧା ଏହା ଦକ୍ଷିଣପଶ୍ଚିମ ମୁମ୍ବାଇ ଠାରୁ ୪୫୦ କିମି ଦୂରରେ ଅବସ୍ଥିତ ରହି ଗଭୀର ଅବପାତର ରୂପ ନେଇଛି । ଏହା ଏକ ଘୂର୍ଣ୍ଣିଝଡରେ ପରିଣତ ହୋଇ ବୁଧବାର ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି  । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଙ୍ଗଳବାରରୁ ଗୁରୁବାର ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ।

ଏହି ସମୟରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ପରେ ମଧ୍ୟ ଭାରତ ମୁହାଁ ହେବ । ଏହି ସବୁ ସ୍ଥାନରେ ମଙ୍ଗଳବାରରୁ ଶୁକ୍ରବାର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.