କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି

Published By : Prameya-News7 Bureau | May 14, 2021 IST

ଭୁବନେଶ୍ୱର,୧୪/୦୫: ଶୁକ୍ରବାରଠୁ ରାଜ୍ୟରେ କାଳବୈଶାଖୀ ପ୍ରକୋପ କମିବ।ଯଦିଓ କେତେକ ଜାଗାରେ ଆସନ୍ତା ଦୁଇଦିନ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବ, କିନ୍ତୁ ବଡ଼ଧରଣର ବର୍ଷା, ପବନ ଆଶଙ୍କା କମ୍‌ ରହିଛି।

ଗୁରୁବାର ସକାଳୁ ଲୁଚକାଳି ଚାଲିଥିଲା ଖରା-ମେଘୁଆ ବାଦଲ ମଧ୍ୟରେ । ଦିନ ୧୧ଟା ପରେ ପାଗ ଦଳିଲା । ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲା ବର୍ଷା, ପବନ । ଅପରାହ୍ନରେ ବି କେତେକ ଜାଗାରେ ବର୍ଷା ହୋଇଛି କାଳବୈଶାଖୀ ପ୍ରକୋପରେ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଶୁକ୍ରବାରଠାରୁ ରାଜ୍ୟରେ କାଳବୈଶାଖୀ ପ୍ରକୋପ କମିବ । ଯଦିଓ କେତେକ ଜାଗାରେ ଆସନ୍ତା ଦୁଇଦିନ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବ, କିନ୍ତୁ ବଡ଼ଧରଣର ବର୍ଷା, ପବନ ଆଶଙ୍କା କମ୍‌ । ଅପରପକ୍ଷରେ ଗୁରୁବାର ଯେଉଁସବୁ ସ୍ଥାନରେ ବର୍ଷା ହୋଇଛି, ଶୁକ୍ରବାର ସେଠାରେ ତାତି ବଢ଼ିବ ।

ବିଶେଷ କରି ଉତ୍ତର ଓଡ଼ିଶାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ । ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିଲେ ମଧ୍ୟ ଅସ୍ତବ୍ୟସ୍ତ କରିବ ଗୁଳୁଗୁଳି । ବର୍ତ୍ତମାନ ବାୟୁମଣ୍ଡଳରେ ପ୍ରଚୁର ଜଳୀୟବାଷ୍ପ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେବା ସମ୍ଭାବନା ଅଛି ।

ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇଛି । ଭୁବନେଶ୍ୱରରେ ଘଣ୍ଟା ପ୍ରତି ପ୍ରାୟ ୩୦ରୁ ୩୫ କିମି ବେଗରେ ପବନ ବହିଛି । ପ୍ରାୟ ୩୩ ମିଲିମିଟର ବର୍ଷା ହୋଇଛି ରାଜଧାନୀରେ ସନ୍ଧ୍ୟା ସୁଦ୍ଧା । ପବନ ମାଡ଼ରେ ବିଶେଷ କ୍ଷୟକ୍ଷତି ହୋଇନଥିବାବେଳେ କେତେକ ଜାଗାରେ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡ଼ିଥିଲା ।

ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ଅନୁଗୁଳ, ଗଞ୍ଜାମ, ବଲାଙ୍ଗିରରେ ଆଜି ଘଡ଼ଘଡ଼ି ସାଙ୍ଗକୁ ବର୍ଷା, ପବନ ହୋଇଛି । ସନ୍ଧ୍ୟା ସୁଦ୍ଧା ଚାନ୍ଦବାଲିରେ ୨୭ ମିମି, ଗୋପାଳପୁରରେ ୧୯, ଛତ୍ରପୁରରେ ୧୮.୭, କେନ୍ଦୁଝରରେ ୧୪, ଦାରିଙ୍ଗିବାଡ଼ିରେ ୧୨, ବଲାଙ୍ଗିରରେ ୧୦.୨ ମିମି ବର୍ଷା ରେକର୍ଡ ହୋଇଛି ।

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସହ ସ୍ଥାନେ ସ୍ଥାନେ ବର୍ଷା, ପବନ ହୋଇପାରେ । ଗୁରୁବାର ରାଜ୍ୟର ସବୁ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା କମ୍‌ ରହିଥିଲା । ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ତଳେ ଥିଲା । ଚାନ୍ଦବାଲି, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର ତାପମାତ୍ରା ୩୦ ଡିଗ୍ରୀ ତଳକୁ ଖସି ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.