ଆହୁରି ୨ ଦିନ ମେଘୁଆ ପାଗ, ଆଜି ୧୨ ଜିଲ୍ଲାରେ ଅତିପ୍ରବଳ ବର୍ଷା !

Published By : Prameya-News7 Bureau | June 25, 2021 IST

ଭୁବନେଶ୍ୱର,୨୫/୦୬: ଆହୁରି ଦୁଇଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଶୁକ୍ରବାର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିରୁ ଭଦ୍ରକ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ପାଣିପାଗ ବିଭାଗ କହିଛି, ଉତ୍ତର ପଞ୍ଜାବରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ନିମ୍ନ ଚାପରେଖା ଲମ୍ବିଛି । ଝାଡ଼ଖଣ୍ଡ ଓ ଏହାର ଆଖାପାଖ ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ଅଛି, ଯାହାକି ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି କରି ରହିଛି । ଏହି ଘୂର୍ଣ୍ଣିବଳୟଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଗୋଟିଏ ନିମ୍ନ ଚାପରେଖା ସମୁଦ୍ର ପତ୍ତନଠାରୁ ଦେଢ଼ କିମି ଉଚ୍ଚତା ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବହୁ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ଜୁନ୍‌ ପହିଲାରୁ ୨୪ ତାରିଖ ସୁଦ୍ଧା ରାଜ୍ୟରେ ୧୬୨.୮ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୪% ଅଧିକ । ୮ଟି ଜିଲ୍ଲାରେ ବର୍ଷା କମ୍‌ ହୋଇଛି ।

ଏହି ଜିଲ୍ଲାଗୁଡ଼ିକ ହେଲା-ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଯାଜପୁର, ଭଦ୍ରକ, କନ୍ଧମାଳ ଓ କେନ୍ଦୁଝର । ପୁରୀ ଓ ସୁନ୍ଦରଗଡ଼ରେ ଅତ୍ୟଧିକ ବର୍ଷା ହୋଇଛି । ସ୍ୱାଭାବିକଠାରୁ ୫୯ ପ୍ରତିଶତରୁ ଅଧିକ ବର୍ଷା ଢାଳିଛି ଏହି ଦୁଇ ଜିଲ୍ଲାରେ । ଦେବଗଡ଼, ସମ୍ବଲପୁର, କୋରାପୁଟ, ବରଗଡ଼, ସୋନପୁର, ନୂଆପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ୨୦%ରୁ ୫୯% ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକ ଅଛି । ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୫୧.୩ ମିମି ବର୍ଷା ହୋଇଥିବାବେଳେ ଗଞ୍ଜାମରେ ସର୍ବନିମ୍ନ ୭୫ ମିମି ବର୍ଷା ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.