ଆଜି ଏହି ୪ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ଶୁକ୍ରବାରଠୁ ବଢିବ ଶୀତ

Published By : Prameya-News7 Bureau | November 12, 2020 IST

ଭୁବନେଶ୍ୱର,୧୨|୧୧: ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଗୁରୁବାର ମଧ୍ୟ ରାଜ୍ୟରେ ଏଭଳି ପାଗ ରହିବା ସମ୍ଭାବନା ଅଛି । ତେବେ ଶୁକ୍ରବାର ଠାରୁ ଆଉ ମେଘୁଆ ପାଗ ରହିବ ନାହିଁ । ଆହୁରି ମଧ୍ୟ ଧୀରେଧୀରେ ରାତିର ତାପମାତ୍ରା କମିବ ଓ ସହ ଶୀତ ପୁଣି ବଢ଼ିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ତେବେ ପରବର୍ତ୍ତୀ ଦୁଇଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍‌ କମିପାରେ ବୋଲି ଆଶଙ୍କା କରାଯାଉଛି ।

ଗତ ମଙ୍ଗଳବାରଠାରୁ ପାଗ ମେଘୁଆ ଥିବାରୁ ରାତିରେ ସର୍ବନିମ୍ନ ତାପମାତ୍ରା ବଢ଼ିଛି । ସୋନପୁର (୧୪ ଡିଗ୍ରୀ)କୁ ବାଦ୍‌ ଦେଲେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ବୁଧବାର ଦିନତମାମ ଅଧିକାଂଶ ସ୍ଥାନରେ ପାଗ ଆଂଶିକ ମେଘୁଆ ଥିଲା । କୋହଲା ପାଗ ସହ ହାଲୁକା ପବନ ବହୁଥିଲା । ଏପରିକି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା । ଗୋପାଳପୁରରେ ଦିନବେଳା ୧୦ ମିଲିମିଟର, ପାରଳାଖେମୁଣ୍ଡିରେ ୬.୬, ନୟାଗଡ଼ରେ ୨, ଦାରିଙ୍ଗିବାଡ଼ିରେ ୨ ମିମି ବର୍ଷା ରେକର୍ଡ ହୋଇଥିଲା ।

ସେହିପରି ଗୁରୁବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଶୁକ୍ରବାରଠାରୁ ପାଗ ଶୁଖିଲା ଓ ଖରାଟିଆ ରହିବ । ପରବର୍ତ୍ତୀ ଦୁଇଦିନ ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ କମିପାରେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.