ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ

Published By : Prameya-News7 Bureau | March 08, 2021 IST

ଭୁବନେଶ୍ୱର,୦୮/୦୩: ସୋମବାରଠୁ ବଢ଼ିବ ତାପମାତ୍ରା। ନିର୍ଘାତ ଖରା ଛଟପଟ କରିବ । ତାତିର ଜ୍ୱାଳା ଅସହ୍ୟ ହେବ। ରବିବାର ରାଜ୍ୟରେ ୭ଟି ଜିଲ୍ଲା ୩୮ଡିଗ୍ରୀ ଉପରେ ରହିଥିଲା । ସମ୍ବଲପୁର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୩୮.୭ ଡିଗ୍ରୀ ରେକର୍ଡ ହୋଇଥିଲା । ଟିଟିଲାଗଡ଼ ଓ ମାଲକାନଗିରିର ତାପମାତ୍ରା ୩୮.୫ଡିଗ୍ରୀ ରହିଥିବା ସହ ଭୁବନେଶ୍ୱରର ୩୮.୪ ଓ ତାଳଚେରର ତାପମାତ୍ରା ୩୮.୪ ଡିଗ୍ରୀ ରହିଥିଲା । ତେବେ ସୋମବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ଶ୍ରୀ ପଶୁପାଳକ କହିଛନ୍ତି, ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଓ ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲାରେ ୮ରୁ ୧୦ ତାରିଖ ଯାଏ ତାପମାତ୍ରା କମ୍‌ ରହିବ । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭ରୁ ୩୮ଡିଗ୍ରୀ ରହିବ । ଏଠାରେ ୧୧ରୁ ୧୪ ତାରିଖ ଯାଏ ତାତି ବଢିବ । ଏହି ସମୟ ଭିତରେ ତାପମାତ୍ରା ପାଖାପାଖି ୪୦ଡିଗ୍ରୀ ରହିବ । ୧୫ ତାରିଖରେ ପୁଣି ବଢି ୪୦ଡିଗ୍ରୀ ଟପିବ । ତେବେ ସାମୁଦ୍ରିକ ପବନର ଅସ୍ଥିରତା ଯୋଗୁ ତାତି ବଢିବା ହାର କ୍ୱଚିତ୍‌ ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି ।

ସେପଟେ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ(ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ) ସୋମବାରଠାରୁ ତାତି କ୍ରମଶଃ ବଢିବ । ସୋମବାର ଓ ମଙ୍ଗଳବାର ଭିତରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାର କିଛି ସ୍ଥାନ(ଟିଟିଲାଗଡ, ଅନୁଗୁଳ ଓ ମାଲକାନଗିରି)ରେ ସର୍ବାଧିକ ୪ ଡିଗ୍ରୀ ଅତିକ୍ରମ କରିବ ।

୧୪ ତାରିଖ ଯାଏ ସର୍ବାଧିକ ସର୍ବାଧିକ ୪୧ଡିଗ୍ରୀ ଭିତରେ ରହିବ । ୧୫ ତାରିଖରେ ଏହା ପୁଣି ବଢି ୪୧ଡିଗ୍ରୀ ଛୁଇଁପାରେ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୨ ତାରିଖ ସୁଦ୍ଧା ୨ଡିଗ୍ରୀ ବଢିବ । ଉପକୂଳରେ ୮ ଓ ୧୨ ତାରିଖରେ କୁହୁଡି ହେବାର ସମ୍ଭାବନା ଅଛି ବୋଲି ସେ ଅନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.