ଫେରୁଛି ତାତି, ସପ୍ତାହେ ଯାଏଁ ଛଟପଟ କରିବ

Published By : Prameya-News7 Bureau | April 18, 2021 IST

ଭୁବନେଶ୍ୱର,୧୮/୦୪: ବଢ଼ିବାରେ ଲାଗିଛି ତାତି ପ୍ରକୋପ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ଛଟପଟ କରିବ । ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ ସମେତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ସବୁଠାରୁ ଅଧିକ ଉତ୍ତପ୍ତ ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ପାଣିପାଗ ବିଭାଗ ମଧ୍ୟ ଆକଳନ କରିଛି ଯେ, ଗରମ ବଢ଼ି ଚାଲିବ । ଆସନ୍ତା ୨-୩ ଦିନ ଭିତରେ ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୪ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଶନିବାର ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ବାରିପଦା ୪୦ ଡିଗ୍ରୀ, ମାଲକାନଗିରି ୪୦, ଟିଟିଲାଗଡ଼ ୪୦.୨, ଝାରସୁଗୁଡ଼ା ୪୦.୨ ଡିଗ୍ରୀ ସେଲସିୟସ୍‌ ରହିଥିଲା ।ସେହିପରି ଡକ୍ଟର ପଶୁପାଳକ କହିଛନ୍ତି, ଶନିବାର ରାଜ୍ୟକୁ ପଶ୍ଚିମା ଗରମ ପବନ ସିଧା ପ୍ରବାହିତ ହୋଇ ବଙ୍ଗୋପସାଗରକୁ ବିସୃତ ହୋଇଥିଲା । ବର୍ତ୍ତମାନ ସାମୁଦ୍ରିକ ପବନ ନିଷ୍କ୍ରିୟ ଥିବାବେଳେ ପାଗ ଖରାଟିଆ ରହୁଛି । ଆକାଶ ମେଘମୁକ୍ତ ରହିବ । ତେଣୁ ସପ୍ତାହେ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ ।
ଆକଳନ କରାଯାଇଛି, ଆସନ୍ତା ୧୯ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ସେଲସିୟସ୍‌ ରହିବ । ସେଦିନ କାଳବୈଶାଖୀ ସମ୍ଭାବନା ଥିବାରୁ ୨୦ ଓ ୨୧ ତାରିଖରେ ତାପମାତ୍ରା ଦେଢ଼ ଡିଗ୍ରୀ ପାଖାପାଖି କମିପାରେ । ନଚେତ୍‌ ୨୧ ପର୍ଯ୍ୟନ୍ତ ୪୦ ଡିଗ୍ରୀରୁ ଅଧିକ ରହିବ ।

ଆଭ୍ୟନ୍ତରୀଣ ଦକ୍ଷିଣରେ ୧୮ରୁ ତାପମାତ୍ରା କ୍ରମଶଃ ବଢ଼ିବ । ୨୧ ତାରିଖ ସୁଦ୍ଧା ୩ରୁ ୪ ଡିଗ୍ରୀ ପାରଦ ଉପରକୁ ଉଠିପାରେ । ୨୪ରୁ ପୁଣି ବଢ଼ିବା ସହ ୨୫ ତାରିଖ ସୁଦ୍ଧା କେତେକ ସ୍ଥାନରେ ଆଉ ୨ ଡିଗ୍ରୀ ବଢ଼ିପାରେ । ଫଳରେ ୨୫ ତାରିଖ ସୁଦ୍ଧା କେତେକ ସ୍ଥାନରେ ପାରଦ ଆଉ ୨ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ଫଳରେ କେତେକ ଜାଗାରେ ତାପମାତ୍ରା ୪୩ରୁ ୪୪ ଡିଗ୍ରୀ ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅନ୍ୟ ଅଞ୍ଚଳ ତୁଳନାରେ କମ୍‌ ବଢ଼ିବ । ୧୯ ଓ ୨୦ ତାରିଖରେ ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.