ସୋମବାରଠୁ ଉପରମୁହାଁ ହେବ ପାରଦ, ୨ରୁ ୩ ଡିଗ୍ରୀ ବଢିବ ତାତି

Published By : Prameya-News7 Bureau | April 16, 2021 IST

ଭୁବନେଶ୍ୱର,୧୬/୦୪: ରାଜ୍ୟରେ ଦୁଇଦିନ ପରେ ଧୀରେଧୀରେ ଗରମ ପ୍ରକୋପ ବଢ଼ିବ । ପାଣିପାଗ ବିଭାଗର କହିବାନୁସାରେ, ଆସନ୍ତା ୪୮ ଘଣ୍ଟା ଭିତରେ ତାତିରେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । ତା’ପରେ କ୍ରମଶଃ ତାପମାତ୍ରା ବୃଦ୍ଧି ପାଇବ । ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ।

ରାଜ୍ୟରେ ଏବେ ତାତି ପ୍ରକୋପ ସାମାନ୍ୟ କମ୍‌ ରହିଛି । ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ସହ ବିଦର୍ଭ ଉପରେ ବି ଆଉ ଏକ ଘୂର୍ଣ୍ଣିବଳୟ ରହିଛି । ସାମୁଦ୍ରିକ ପବନ ପ୍ରବାହ ଯୋଗୁ କାଳବୈଶାଖୀ ହେଉଛି । ଏଥିଯୋଗୁ ତାତି କମ୍‌ ରହିବା ସହ ପାଗ ଅନେକ ସମୟରେ ଆଂଶିକ ମେଘୁଆ ରହୁଛି ।

ବୁଧବାର କୋରାପୁଟରେ ୨୦ ମିଲିମିଟର, ନୟାଗଡ଼ରେ ୧୪.୨, ଅନୁଗୁଳରେ ୯ ମିମି ବର୍ଷା ହୋଇଥିଲା । ଗୁରୁବାର ଦିନବେଳା ବଲାଙ୍ଗିରରେ ପାଖାପାଖି ୧୦ ମିମି ବର୍ଷା ହୋଇଥିଲା । ରାତିରେ ବି କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଗୁରୁବାର ରାଜ୍ୟ ତମାମ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା । ଭୁବନେଶ୍ୱର ତାପମାତ୍ରା ୩୯.୭ ଡିଗ୍ରୀ ଥିବାବେଳେ ଅପରାହ୍ନରେ ପାଗ ବଦଳିବା ସହ ପାଗ ମେଘୁଆ ହୋଇଥିଲା ।

ଅନ୍ୟ ସହର ମଧ୍ୟରେ ବାରିପଦା ତାପମାତ୍ରା ୩୯.୪, ବୌଦ୍ଧ ୩୯, ରାୟଗଡ଼ା ୩୯.୨ ଡିଗ୍ରୀ ଥିଲା । ଶୁକ୍ରବାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ଆଶଙ୍କା ଅଛି । କେତେକ ଜାଗାରେ ଘଡ଼ଘଡ଼ି ସହ ପବନ ହେବା ନେଇ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.