ଆଭ୍ୟନ୍ତରୀଣ ଓଡିଶା ପାଲଟିଛି ତତଲା କଡେଇ, ୧୩ ଜିଲ୍ଲାରେ କାଳବୈଶାଖି ସମ୍ଭାବନା

Published By : Prameya-News7 Bureau | April 30, 2021 IST

ଭୁବନେଶ୍ୱର ୩୦/୦୪:  ଭୀଷଣ ତାତିରେ ଅସ୍ତବ୍ୟସ୍ତ ହେଉଛି ଆଭ୍ୟନ୍ତରୀଣ ଓଡ଼ିଶା । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ତେବେ ଗୁରୁବାର ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଛି । କିନ୍ତୁ ବଡ଼ ଧରଣର ଆଶ୍ୱସ୍ତି ମିଳିନାହିଁ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବନୁମାନ ହେଲା, ବର୍ତ୍ତମାନ ଉପକୂଳରେ ତାତି ଆଉ ବଢ଼ିବନି। ଆଭ୍ୟନ୍ତରୀଣ ଓଡ଼ିଶାରେ ଆଉ ଦୁଇଦିନ ଗରମ ପ୍ରକୋପ ଭୀଷଣ ରହିବ। ୨ ତାରିଖରୁ ଆଭ୍ୟନ୍ତରୀଣ ସମେତ ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ୩ରୁ କାଳବୈଶାଖୀ ବଢ଼ିବ । ୮ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ କମ୍‌ ରହିବ ।ପାଣିପାଗ ବିଭାଗ କହିଛି, ଆଜି ଯେଉଁଭଳି ତାପମାତ୍ରା ଥିଲା, ଆସନ୍ତା ଦୁଇଦିନ ପ୍ରାୟତଃ ସେଇଭଳି ସ୍ଥିତି ରହିବ । ୨ ଦିନ ପରେ ତାତି କମିବ । ପ୍ରାୟ ୨/୩ ଡିଗ୍ରୀ କମିପାରେ ୨-୩ ଦିନ ଭିତରେ ।

ଗୁରୁବାର ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ସୋନପୁର ସହର ୪୩.୧ ଡିଗ୍ରୀ ସେଲସିୟସ୍‌ ଡିଗ୍ରୀ ତାତିରେ ଜଳିଥିଲା। ସୁନ୍ଦରଗଡ଼, ବଲାଙ୍ଗିର, ଟିଟିଲାଗଡ଼, ଭବାନୀପାଟଣା ଓ ବୌଦ୍ଧ ସହରବାସୀ ୪୨ ଡିଗ୍ରୀରୁ ଅଧିକ ତାତିରେ ଛଟପଟ ହୋଇଥିଲେ । ଝାରସୁଗୁଡ଼ା, ସମ୍ବଲପୁର, ମାଲକାନଗିରି, ଅନୁଗୁଳ ହୀରାକୁଦ, ତାଳଚେରରେ ମଧ୍ୟ ଅସହ୍ୟ ଗରମ ଥିଲା । ଏସବୁ ଜାଗାରେ ତାତି ୪୦ ଡିଗ୍ରୀ ଉପରେ ରହିଥିଲା ।
ପୂର୍ବାନୁମାନ ଅନୁଯାୟୀ ଆଜି ଉପକୂଳ ଓଡ଼ିଶାରେ ତାତି ପ୍ରକୋପ କମ୍‌ ଥିଲା । କେବଳ ଭୁବନେଶ୍ୱରରେ ତାତି ୩୮ ଡିଗ୍ରୀ ଉପରେ ଥିଲା । ଅନ୍ୟପକ୍ଷରେ ଆଜି କୋରାପୁଟ, ଫୁଲବାଣୀ, ରାୟଗଡ଼ାରେ ଦିନବେଳା କାଳବୈଶାଖୀ ହୋଇଛି ।

ପାଣିପାଗ ବିଭାଗ କହିଛି, ଶୁକ୍ରବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କୋରାପୁଟ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ବର୍ତ୍ତମାନ ପ୍ରତ୍ୟେକ ଦିନ କାଳବୈଶାଖୀ ବର୍ଷା କିଛି ଜାଗାରେ ହେବା ସମ୍ଭାବନା ଅଛି । ବର୍ଷା ହେଲେ ତାତି ପ୍ରକୋପରୁ ଆଶ୍ୱସ୍ତି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.