ରାଜ୍ୟରେ ଏବେ କମିବନି ତାତି, ଆଜି ୧୯ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

Published By : Prameya-News7 Bureau | April 22, 2021 IST

ଭୁବନେଶ୍ୱର,୨୨/୦୪: ବୁଧବାର ରାଜ୍ୟର ୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଅତିକ୍ରମ କରିଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା । ତେବେ ରାଜ୍ୟରେ ଗରମ ବିଶେଷ କମିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆସନ୍ତା ୪ଦିନ ଭିତରେ ତାପମାତ୍ରା ବିଶେଷ ବଦଳିବା ସମ୍ଭାବନା କମ୍‌ ରହିଛି।

ରାଜ୍ୟରେ ବୁଧବାର ବୌଦ୍ଧ ପରେ ଅନୁଗୁଳର ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ସୋନପୁର ୪୧, ଟିଟିଲାଗଡ଼ ୪୦, ବାରିପଦା ୪୦, ତାଳଚେର ୪୦.୧, ଝାରସୁଗୁଡ଼ା ୩୯.୪, ଭୁବନେଶ୍ୱର ୩୯.୨, ସମ୍ବଲପୁର ୩୯.୩, ବଲାଙ୍ଗିର ୩୯.୬, ନୟାଗଡ଼ ୩୯.୫ ଡିଗ୍ରୀ ତାତିରେ ସିଝିଥିଲା । ବୁଧବାର ଦିନ ଭିତରେ କୌଣସି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇନଥିବା ଦେଖିବାକୁ ମିଳିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ଜାଗାରେ ବଜ୍ରପାତ ଓ ଧୂଳିଝଡ଼ ଆଶଙ୍କା ଅଛି । ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିପାରେ ବୋଲି କହିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.