୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି

Published By : Prameya-News7 Bureau | October 22, 2021 IST

ଭୁବନେଶ୍ୱର ୨୨/୧୦: ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ସକାଳେ କିଛି ସ୍ଥାନରେ କୁହୁଡ଼ି ଦେଖାଦେବ । ରାତି ବେଳକୁ ତାପମାତ୍ରା ଧୀରେ ଧୀରେ କମିବ । ଅପରପକ୍ଷେ ଆସନ୍ତା ୨୮ରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଥିବାରୁ ବର୍ଷା ହେବ ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।

ଶୁକ୍ରବାରରୁ ୪-୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆକାଶ ମେଘମୁକ୍ତ ରହିବ । ରାଜ୍ୟରେ ଧୀରେ ଧୀରେ ତାପମାତ୍ରା କମିବ । ୨୩ ତାରିଖ ସୁଦ୍ଧା ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ଏବେ ଜଳବାୟୁରେ ଜଳକଣିକା ରହୁଥିବାରୁ ସକାଳ ସମୟରେ କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨୮ ପର୍ଯ୍ୟନ୍ତ ରାଜ୍ୟରେ ଦିନ ବେଳେ ପାଗ ଶୁଖିଲା ରହିବ । ରାତିରେ ତାପମାତ୍ରା କମିବ । ୨୮ରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବ ଦିଗରୁ ପବନ ବୋହିବ । ତାମିଲନାଡୁ, ଶ୍ରୀଲଙ୍କା ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଉପକୂଳରେ ସ୍ୱଳ୍ପ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଗତ ୨୪ଘଣ୍ଟା ମଧ୍ୟରେ ରାଜକନିକାରେ ୨୫ ମିଲିମିଟର ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧୭ ମିଲିମିଟର, ସାଳନ୍ଦିରେ ୪ ମିଲିମିଟର, ପିପିଲିରେ ମାତ୍ର ୧ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.