କମିଛି ତାତି, ଆସନ୍ତା ୪ ଦିନ ଯାଏଁ କାଳବୈଶାଖି ସମ୍ଭାବନା

Published By : Prameya-News7 Bureau | April 10, 2021 IST

ଭୁବନେଶ୍ୱର,୧୦/୦୪: ରାଜ୍ୟରେ ଗତ ଦୁଇ ଦିନ ହେବ ଘନଘନ କାଳବୈଶାଖୀ ଲାଗି ରହିଛି । ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଯୋଗୁ ତାତି କମିଛି । ପାଣିପାଗ ପୂର୍ବାନୁମାନ ହେଲା-ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି ।

ଗୁରୁବାର ରାତିରେ ପୁରୀରେ ୨୮.୮ ମିଲିମିଟର ବର୍ଷା ଢାଳିଥିଲା । ବାରିପଦାରେ ୧୧.୬ ମିମି, କଟକରେ ୧୭.୪ ମିମି ବର୍ଷା ସହ ପବନ ବି ହୋଇଥିଲା । ଏହାବାଦ୍‌ ଭୁବନେଶ୍ୱର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ଦାରିଙ୍ଗିବାଡ଼ିରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇଥିଲା । ଶୁକ୍ରବାର ଦିନ ତମାମ ଉପକୂଳ ସମେତ ବିଭିନ୍ନ ସ୍ଥାନରେ ଖରା କମ୍‌ ସହ ପାଗ ଆଂଶିକ ମେଘୁଆ ଥିଲା । ଦାରିଙ୍ଗିବାଡ଼ିରେ ୨ ମିମି ବର୍ଷା ହୋଇଥିଲା ।ଶୁକ୍ରବାର କେବଳ ସୁନ୍ଦରଗଡ଼ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ବାକି ସବୁଠି ପାରଦ ୪୦ ଡିଗ୍ରୀ ତଳେ ଥିଲା । ଉପକୂଳରେ ଭୁବନେଶ୍ୱର ତାତି ବି ୩୫ ଡିଗ୍ରୀ ତଳେ ରହିଥିଲା ।

ପାଣିପାଗ ବିଭାଗ କହିଛି, ଶନିବାର ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ଅଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଆଉ ୨ ଡିଗ୍ରୀ କମିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.