ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ

Published By : Prameya-News7 Bureau | January 22, 2022 IST

ଭୁବନେଶ୍ୱର,୨୨/୦୧: ଓଡ଼ିଶା ପଶ୍ଚିମାଞ୍ଚଳରେ କିଛି ସ୍ଥାନରେ ଶନିବାର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି କେନ୍ଦ୍ର ଆକଳନ କରିଛି ।

ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ମାତ୍ର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୩ରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସ୍ୱାଭାବିକଠୁ ଅଧିକ ତାପମାତ୍ରା ରହିଥିବା ବେଳେ ଆହୁରି ଦୁଇଦିନ ଅଧିକ ରହିବ ତାପମାତ୍ରା । ୨-୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବଢ଼ିବ । ଶୀତ କମିବ । ସେହିପରି ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

ଅନୁରୂପ ଭାବେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଶନିବାର ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଶୁକ୍ରବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ଦାରିଙ୍ଗବାଡ଼ି ୧୦.୫ ଡିଗ୍ରୀ ସେଲସିୟସ୍‌, କେନ୍ଦୁଝରଗଡ଼ରେ ୧୦.୮ ଡିଗ୍ରୀ ସେଲସିୟସ୍‌, ଝାରସୁଗୁଡ଼ାରେ ୧୧.୨ ଡିଗ୍ରୀ ସେଲସିୟସ୍‌ ଓ ଟିଟିଲାଗଡ଼ରେ ୧୧.୩ ଡିଗ୍ରୀ ସେଲସିୟସ୍‌ ସର୍ବନିମ୍ନ ତାପମାତ୍ରା ରହିଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ମୟୂରଭଞ୍ଜ ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.